କରୋନା କଟକଣାକୁ ଅମାନିଆଙ୍କ ବେଖାତିର ; ଦୁଇ ଦିନରେ ଗଣିଲେଣି ୪୭,୦୦୦ ଟଙ୍କା ।

0 392

ବେଲଗୁଣ୍ଠା,୧୨/୦୫, ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଏହା ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି । ତେଣୁ ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍ ଭଳି ପରିସ୍ଥିତି ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣର ହାର ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଇ ପାଞ୍ଚ ତାରିଖ ଠାରୁ ଉଣେଇଶି ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରାଯାଇ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍ ବାହିନୀ ଏହାର ତଦାରଖ କରୁଛନ୍ତି । ବହୁ ଅମାନିଆ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରିବା ସହିତ ପୋଲିସ୍ ପ୍ରଶାସନକୁ ଚକମା ଦେଖାଇ ବିନା କାରଣରେ ବୁଲାବୁଲି କରିବା ସହିତ ମହାମାରୀ ସଂକ୍ରମଣକୁ ନିମନ୍ତ୍ରଣ କରୁଛନ୍ତି । ସେହି ଅମାନିଆ ବେଳେ ବେଳେ ପୋଲିସ୍ ହାବୁଡ଼ରେ ପଡ଼ି ତଣ୍ଡ ଗଣୁଥିଲେ ମଧ୍ୟ ସୁଧୁରିବାର ନାଆଁ ଧରୁ ନାହାନ୍ତି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ପୋଲିସ୍ ପକ୍ଷରୁ ଦୃଢ଼ତାର ସହିତ ଅମାନିଆ ମାନଙ୍କୁ ସାବାଡ଼୍ କରାଯିବା ସହ ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଗାଙ୍ଗପୁର ଥାନା ଅଧୀନରେ ଏକ ବିରାଟ ଅଞ୍ଚଳ ଆସୁଥିବା ବେଳେ ଏହି ଥାନା ଅଧୀନରେ ଥିବା ଗାଙ୍ଗପୁର,କ୍ଷତ୍ରିୟବରପୁର,ଗୋବରା,କଣ୍ଟେଇପଲି ଭଳି ଛୋଟ ଛୋଟ ବଜାରରେ ଦୈନିକ ଶହ ଶହ ଲୋକଙ୍କ ଗହଳି ହେବା ସହିତ ବହୁ ଅମାନିଆ ମଧ୍ୟ ଚକ୍କର କାଟନ୍ତି । ସେହି ଅମାନିଆ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ନିର୍ଦ୍ଦେଶରେ ଏସ୍ଆଇ ଶୁସାନ୍ତ ପ୍ରଧାନ,ସୁଧୀର ଦିଗାଲ୍,ଟୁନା ପିଡ଼ିକା ଏବଂ ଆର୍.କେ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରି ଅମାନିଆ ମାନଙ୍କୁ ତାଗିଦ୍ କରାଯିବା ସହିତ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ମାତ୍ର ଦୁଇ ଦିନରେ ବହୁ ଅମାନିଆ, ମାସ୍କ ଏବଂ ହେଲମେଟ୍ ବ୍ୟବହାର କରୁନଥିବା ଗାଡ଼ି ଚାଳକଙ୍କ ଠାରୁ ଗାଙ୍ଗପୁର ପୋଲିସ୍ ପକ୍ଷରୁ ୪୭,୦୦୦ ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି
ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଦାଶଙ୍କ ସହ ଯୋଗାଯୋଗ କରିବାରେ ଅମାନିଆ ମାନେ କଟକଣାକୁ ଫାଙ୍କିବା ସହିତ ଅଞ୍ଚଳ ପାଇଁ ବିପଦ ଡ଼ାକି ଆଣୁଥିବାରୁ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିବାକୁ ପୋଲିସ୍ ବାଧ୍ୟ ହେଉଛି ବୋଲି ପ୍ରକାଶ କରିଛନ୍ତି । ଏହି ଅମାନିଆମାନେ ଯଦି ନ ସୁଧୁରନ୍ତି ତେବେ ଗାଙ୍ଗପୁର ଅଞ୍ଚଳରେ କରୋନାର ବିସ୍ଫୋରଣ ହେବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ଅମାନିଆଙ୍କୁ କାବୁ କରିବା ପାଇଁ ଖୁବ୍ ଶୀଘ୍ର ଗାଙ୍ଗପୁର ପୋଲିସ୍ ସ୍ଵତନ୍ତ୍ର ରଣନୀତି ପ୍ରୟୋଗ କରିବା ସହ ବ୍ଲକିଙ୍ଗ୍ ଚେକିଂକୁ ଅଧିକ କଠୋର କରାଯିବ ବୋଲି ଥାନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.