ବେଲଗୁଣ୍ଠା,୦୭/୦୫(ପିପିଟି); କରୋନାର ଦ୍ୱିତୀୟ ଲହରୀରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଥିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମେ ପାଞ୍ଚ ତାରିଖ ଠାରୁ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଉଥିଲେ ମଧ୍ୟ ବହୁ ଅମାନିଆ ଏହି କଟକଣା ଫୁ କରି ବିନା କାରଣରେ ରାସ୍ତାରେ ଚକ୍କର କାଟୁଥିବା ଦେଖାଯାଉଛି । ଏହିଭଳି ଅମାନିଆକୁ ସାବାଡ଼୍ କରିବା ପାଇଁ ବେଲଗୁଣ୍ଠା ପୋଲିସ୍ ତରଫରୁ ଚେକିଂ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ବେଲଗୁଣ୍ଠା ପୋଲିସ୍ ତରଫରୁ ଗତକାଲି ଏବଂ ଆଜି ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରାଯାଇ ମାସ୍କ ବ୍ୟବହାର କରୁନଥିବା ବହୁ ଅମାନିଆଙ୍କ ଠାରୁ ଦୁଇ ଦିନରେ ମୋଟ ୨୦,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗକୁ ଏହି ମାସ୍କ ଚେକିଂ ପ୍ରକ୍ରିୟା ଜାରି ରଖାଯିବ ବୋଲି ବେଲଗୁଣ୍ଠା ଥାନା ସୂତ୍ରରୁ ପ୍ରକାଶ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )