ତିର୍ତ୍ତୋଲ,୦୧/୦୫(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ସନ୍ଥବିନୋବା ସେବା ସମବାୟ ସମିତି ଲିମିଟେଡ୍ ତଥା ମିନିଵ୍ଯାଙ୍କ୍ ରେ ଆଜିଠାରୁ ତାଲା ପଡ଼ିଲା । ଗୋପାଳ ଖଟୁଆ ନାମକ ଜନୈକ ଜମାକାରୀ ନିଜ ନାତୁଣୀର ଚିକିତ୍ସା ନିମନ୍ତେ ଜମା ରଖିଥିବା ଟଙ୍କା ଫେରି ନ ପାଇ ହତୋତ୍ସାହିତ ହୋଇ ଆଜି ଅପରାହ୍ନ ୧୨.୩୦ ସମୟରେ ଏହି ସମିତିରେ ତାଲା ପକାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୦୨ ବର୍ଷ ତଳେ ଏହି ସମିତିରେ ପ୍ରାୟ ଦେଢ଼ କୋଟି ଜମା ଟଙ୍କା ହଡ଼ପ ହେଵାର ଜଣାପଡିବା ପରେ ଏହି ସମିତିଅଧୀନରେ ଚାଲୁଥିବା ମିନିଵ୍ଯାଙ୍କର କୋଷାଧ୍ୟକ୍ଷ ଆରେଷ୍ଟ ହୋଇ ଜାମିନ୍ ରେ ଆସିଛନ୍ତି । ବହୁ ବାଦବିବାଦ ପରେ ନୂତନ ସେକ୍ରେଟାରୀଙ୍କୁ ପୁଲିସ ଉପସ୍ଥିତିରେ ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରେରେ ଦାୟିତ୍ଵ ହସ୍ତାନ୍ତରଣ ହୋଇଥିବା କଥା ମଧ୍ୟ ପିପିଟି ନ୍ଯୁଜ୍ ମାଧ୍ୟମରେ ପ୍ରସାରିତ ହୋଇଥିଲା । ଶତାଧିକ ଜମାକାରୀ କିପରି ଜମା ଟଙ୍କା ଫେରିପାଇଵେ ସେ ନେଇ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ । ପୂର୍ବତନ ସମିତି ସଂପାଦକଙ୍କ ନାମରେ ବିଭାଗ ତଥା ଜମାକାରୀଙ୍କ ଦ୍ୱାରା ପୁଲିସ ନିକଟରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ । ନୂତନ ସଂପାଦକ ଦାୟିତ୍ଵ ହସ୍ତାନ୍ତରଣ ସମୟରେ କୌଣସି ଦଲିଲ୍ ବା ଜମାଟଙ୍କାର ରେକର୍ଡ ଅଦ୍ୟାବଧି ପାଇନଥିବାରୁ କିଂକର୍ତ୍ତଵ୍ଯଵିମୂଢ ହୋଇ ଜମାକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏ ବିଷୟରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଉଥିଲେ ମଧ୍ୟ ସହଯୋଗ ପାଉନଥିବା ଅଭିଯୋଗ କରିଛନ୍ତି ବର୍ତ୍ତମାନର ସମିତି ସଂପାଦକ । ନକଲି ଦୀର୍ଘ ମିଆଦି ଜମା ଦସ୍ତାବିଜ ଦେଇ ଓ ଜମା ଖାତାକୁ ଚଞ୍ଚକତା କରି ଟଙ୍କା ହଡପ କରିଥିବା କର୍ମଚାରୀଗଣ ଵେଶ୍ ଆରାମରେ ରହୁଥିବା ବେଳେ ଜମାକାରୀ ନିରାଶ ହୋଇ ଆତ୍ମାହୁତି ଦେବାକୁ ଧମକ ଦେବା ସହ ଆଇନକୁ ହାତରେ ନେବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ଆଗାମୀ ଦିନରେ ଏପରି ପରିସ୍ଥିତି ଲାଗି ରହିଲେ ଫସଲ ନିମନ୍ତେ ଚାଷୀ ଋଣ ନେଣଦେଣ ପ୍ରଭାବିତ ହେବା ଆଶଙ୍କା ଉପୁଜିଵ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Prev Post
Next Post