ଆଜାଦ୍ ହିନ୍ଦ୍ ଫୌଜ ସଦସ୍ୟଙ୍କ ପତ୍ନୀଙ୍କ ଦେହାନ୍ତ ।

0 11

ବେଲଗୁଣ୍ଠା,୧୯/୦୪(ପିପିଟି); ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜରେ ସକ୍ରିୟ ସଦସ୍ୟ ଥିବା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ସ୍ଵର୍ଗତ ଜୟ ମହାରଣାଙ୍କ ଧର୍ମପତ୍ନୀ କୌତୂକୀ ମହାରଣାଙ୍କ ୧୦୭ ବର୍ଷ ବୟସରେ ମୁନିଗାଡ଼ି ସ୍ଥିତ ନିଜ ବାସଭବନରେ ଦେହାନ୍ତ ଘଟିଛି । ସ୍ଵାଧୀନତା ସଂଗ୍ରାମୀ ଜୟ ମହାରଣାଙ୍କ ସ୍ତ୍ରୀ ସ୍ଵର୍ଗତା କୌତୂକୀ ମଧ୍ୟ ଅଞ୍ଚଳରେ ଜଣେ ସମାଜସେବୀ ଏବଂ ଧର୍ମପରାୟଣା ମହିଳା ଭାବରେ ଖ୍ୟାତି ଅର୍ଜନ କରୁଥିଲେ । ସ୍ଵର୍ଗତା କୌତୂକୀ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ହୋଇଥିବା ବେଳେ ସେ ନିଜ ନାତୁଣି ପ୍ରମିଳାଙ୍କ ହେପାଜତରେ ରହି ଆସୁଥିଲେ । ଆଜି ଭୋର୍ ଚାରି ଘଣ୍ଟା ୩୦ ମିନିଟ୍ ସମୟରେ ସେ ସ୍ଵର୍ଗାରୋହଣ କରିଥିଲେ । କୌତୂକୀଙ୍କର ଚାରି ଝିଅ ମଧ୍ୟରୁ ତିନି ଜଣ ଝିଅ ପୂର୍ବରୁ ମୃତ୍ୟୁ ବରଣ କରିସାରିଥିବା ଆଜି କୌତୂକୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ ଚନ୍ଦ୍ରମା, ନାତୁଣି ପ୍ରମିଳା ,ନାତି ମନୋଜ, ଅଶୋକ, ପ୍ରହଲ୍ଲାଦ ଏବଂ ଅନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । କୌତୂକୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ପୋଲେଇ, ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର ବଂଶୀଧର ଗୌଡ଼, ଭଞ୍ଜ କିଶୋର ଗୌଡ, ରତ୍ନାକର ସାହୁ, ବିପ୍ରଚରଣ ପ୍ରଧାନ, ଭାସ୍କର ସାହୁ, ଡମ୍ବରୁ ଗୌଡ଼, ବାଳକୃଷ୍ଣ ସାବତ ପ୍ରମୁଖ ସ୍ଵର୍ଗତ କୌତୂକୀଙ୍କ ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । କୋଭିଡ କଟକଣା ସତ୍ତ୍ୱେ ମୁନିଗାଡି ଗ୍ରାମର ଦିଗାମ୍ବର ଆଚାରୀଙ୍କ ପ୍ରତ୍ୟେକ୍ଷ ସହଯୋଗରେ ପୁରୀ ସ୍ଵର୍ଗଦ୍ଵାରରେ କୌତୂକୀଙ୍କ ପାର୍ଥିବ ଶାରୀରର ଅନ୍ତିମ ସଂସ୍କାର ସମାପନ ହୋଇଥିଲା । ନାତି ମନୋଜ ମହାରଣା ମୁଖାଗ୍ନି ଦେଇଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.