ଭୁବନେଶ୍ବର/ଆସ୍କା,୦୩/୦୪(ପିପିଟି);ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳବାସୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୃହତ ସେତୁର ଲୋକାର୍ପଣ କରିଛନ୍ତି। ଏଥିସହିତ ଭିତ୍ତିଭୂମି ବିକାଶ ଉପରେ ପ୍ରାଧାନ୍ୟ ଦେଇ ଚଳିତ ବର୍ଷ ରାଜ୍ୟରେ ୧୦୦୦ କିମି ରାସ୍ତା ଓ ୩୦ଟି ବଡ଼ ସେତୁ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଆସ୍କା-ସୋରଡା-ପିପଲପଙ୍କ- ଗାଜଲବାଡି ପୂର୍ତ୍ତ ବିଭାଗ ରାସ୍ତାରେ ଆସ୍କା ଠାରେ ନିର୍ମିତ ହାଇଲେଭଲ୍ ଏହି ସେତୁ ଦ୍ୱାରା ଗଞ୍ଜମ ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ, ଲୋକଙ୍କ ଗମନାଗମନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ। ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ହ୍ରାସ କରି ଲୋକଙ୍କ ସମୟ ଓ ଅର୍ଥ ସଞ୍ଚୟ କରିବ। ଏହାଦ୍ୱାରା ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସି ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତି ହେବ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଆସିକା ଠାରେ ସାଂସଦ ପ୍ରମୀଳା ବିଷୋୟୀ,ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସୋନମ ପୋଲାଇ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।