ବରିଷ୍ଠ ନାଗରିକ ଟୀକା ନପାଇ ଫେରିଲେ; ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ।

0 262

ଭଞ୍ଜନଗର,୦୯/୦୩(ପିପିଟି); ସରକାର ବରିଷ୍ଠ ନାଗରିକମାନଙ୍କୁ ଗୁରୁତ୍ୱ ଦେଇ ଗତ ମାର୍ଚ୍ଚ ୧ତାରିଖରୁ ବିଭିନ୍ନ ମେଡ଼ିକାଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା କରଣର ବ୍ୟବସ୍ଥା କରିଥିଲେ।ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଟୀକା ଉପଲବ୍ଧ ନଥିବାରୁ ଦୂର ଦୂରାନ୍ତରୁ ଗାଡ଼ି ଭଡ଼ା କରି ଆସୁଥିବା ଲୋକେ ଟୀକା ନ ପାଇ ନିରାଶ ହୋଇ ଫେରୁଥିବା ଦେଖାଯାଇଛି।ବେଲଗୁଣ୍ଠା ବ୍ଲକ ଗୋବରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ଆବଶ୍ୟକ ପରିମାଣରେ ଟୀକା ନଥିବାରୁ ବହୁ ବରିଷ୍ଠ ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏଠାରେ ପ୍ରଥମ ଦିବସରେ ମୋଟ ୨୪୯ଜଣ ଓ ଦ୍ଵିତୀୟ ଦିବସରେ ୨୬୪ଜଣଙ୍କୁ ଟୀକା ଦାନ କରାଯାଇଥିଲେ ମଧ୍ୟ ବହୁ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ମଙ୍ଗଳବାର ସେମାନଙ୍କୁ ଟୀକା ମିଳିବ ବୋଲି ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ କହିଥିଲେ। ହେଲେ ଆଜି ସକାଳେ ଗୋବରା ସମେତ ଆଖପାଖ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଆସି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭିଡ଼ ଜମାଇଥିଲେ।ହେଲେ କାନ୍ଥରେ ଲାଗିଥିବା ଏକ ବ୍ୟାନର ରେ ଟୀକା ସରି ଯାଇଛି ଏବଂ ଟୀକା ଆସିଲେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସୂଚନା ଦିଆଯିବ ବୋଲି ଲେଖା ହୋଇଥିବା ଦେଖି ବହୁ ବୟସ୍କ ବ୍ୟକ୍ତି ମାନେ ହୋ ହଲ୍ଲା କରିଥିଲେ।ହେଲେ ସେଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଟୀକା କେବେ ଆସିବ ସେ ବିଷୟରେ କିଛି କହିହେବ ନାହିଁ ବୋଲି ସୂଚନା ଦେଇଥିଲେ। ଯାହାକୁ ନେଇ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.