ମଣ୍ଡିରେ ଧାନ ଉଠୁନଥିବାରୁ ଉତ୍ତ୍ୟକ୍ତ ଚାଷୀଙ୍କ ଵ୍ରହ୍ମପୁର ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ; ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ଧାରଣାରୁ ଉଠିଲେ ଚାଷୀ ।

0 434

ବେଲଗୁଣ୍ଠା,୦୨/୦୩(ପିପିଟି); ବିଭିନ୍ନ ସ୍ଥାନରେ ଧୀରେ ଧୀରେ ଚାଷୀ ଆନ୍ଦୋଳନ ମଧ୍ଯ ମୁଣ୍ଡ ଟେକିଲାଣି । ସେହିପରି ଆଜି ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଧୀନସ୍ଥ ବିଞ୍ଚଣା ଗ୍ରାମ ଛକରେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଵ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଚାଷୀ। ସୂଚନା ଥାଉ କି ବେଲଗୁଣ୍ଠା ବ୍ଲକରେ ବହୁ ଚାଷୀ ଦୀର୍ଘଦିନ ହେଲା ଟୋକେନ୍ ପାଇବା ପରେ ମଧ୍ଯ ମଣ୍ଡିରେ ଧାନ ଉଠୁ ନଥିବା ଏବଂ ଟୋକେନ୍ ଅବଧି ଶେଷ ହୋଇଯାଇଥିବାରୁ ଅନେକ ଚାଷୀଙ୍କ ଧାନ ଏବେବି ଖଳାରେ ଗଦା ହୋଇ ରହି ନଷ୍ଟ ହେବାକୁ ବସିଲାଣି । କିଛି ଚାଷୀଙ୍କ ଟୋକନ୍ ଅବଧି ସରିବାକୁ ବସିଥିବା ବେଳେ ସମବାୟ ସମ୍ପାଦକ ଏବଂ ମିଲରଙ୍କ ପ୍ରିୟାପ୍ରୀତିରେ ବହୁ ଅଣଚାଷୀଙ୍କ ଧାନ ମଣ୍ଡିକୁ ବିକ୍ରି ହେବା ସ୍ଥାନୀୟ ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି । ଏନେଇ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଣ୍ଡି ସମସ୍ୟାର ସମାଧାନର ବାଟ ବାହାରି ପାରିନଥିଲା। ଫଳରେ ବାଧ୍ୟ ହୋଇ ଆଜି ଚାଷୀ ଗୌର ଚନ୍ଦ୍ର ବିଷୋୟୀ, ରାମ ଚନ୍ଦ୍ର ପଣ୍ଡା, ସୁନୀଲ ପ୍ରଧାନ, ଳକ୍ଷ୍ମଣ ପଣ୍ଡା, ବିରଞ୍ଚି ଚୌଧୂରୀ, ସୀମା ଜେନା, କୃଷ୍ଣ ପ୍ରଧାନ ଏବଂ ବିଜୟ ଜେନାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମଣ୍ଡି ସମସ୍ୟାର ସମାଧାନ, ଟୋକନ୍ ଅବଧି ବୃଦ୍ଧି, ସର୍ଭେ ମାଧ୍ୟମରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଧାନକୁ ଯଥା ଶୀଘ୍ର ଉଠାଇବା,ମଣ୍ଡିକୁ ଧାନ ବିକ୍ରି କରିଥିବା ଅଣଚାଷୀ ଏବଂ ସେମାନଙ୍କୁ ସହଯୋଗ କରିଥିବା ଦଲାଲଙ୍କ ସମ୍ପର୍କରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ଭଳି ଦାବିରେ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଯାହା ଦ୍ୱାରା ରାସ୍ତାରେ ସକାଳ ୧୦ ଘଣ୍ଟାରୁ ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରାସ୍ତାରେ ଗାଡି ମଟର ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାଶ, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ପରେ ଏକ ଘଣ୍ଟା ପରେ ଅବରୋଧ ହଟିଥିଲା । ପରେ ତହସିଲଦାର ଶ୍ରୀ ବେହେରା କେତେକ ମଣ୍ଡିକୁ ଯାଇ ଯାଞ୍ଚ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.