ଅମଳ ସମୟରେ ଆଳୁର ଅଭାବି ବିକ୍ରିକୁ ନେଇ ଚାଷୀ ମୁଣ୍ଡରେ ଚଡକ; ୬୦ ଟଙ୍କା ଦେଇ ବିହନ କିଣି ଚାଷୀ ବିକ୍ରି କରୁଛି ୬ ଟଙ୍କାରେ ।

0 463

ଯାଜପୁର,୨୭/୦୨(ପିପିଟି); ଆଳୁର ଅଭାବୀ ବିକ୍ରୀ ପାଇଁ ଏବେ ଚାଷୀକୂଳ ମୁଣ୍ଡରେ ଚଡକ ପଡିଛି । ସଂରକ୍ଷଣ ଅଭାବରୁ ଏବେ ଚାଷୀ ଆଳୁକୁ ଶାଗମୁଗ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଖୋଲା ବଜାରରୁ ଅଧିକ ମୂଲ୍ୟରେ ବିହନ କିଣି ଆଳୁ ଚାଷ କରିଥିବା ଚାଷୀମାନେ ଏବେ ୫/୬ଟଙ୍କା କିଲୋପ୍ରତି ବିକ୍ରି କରୁଛନ୍ତି । ଫଳରେ ଚାଷୀଟିଏ କ୍ଷତି ସହିବା ସହ କିପରି ଋଣ ପରିଶୋଧ କରିବ ସେନେଇ ଚିନ୍ତାରେ ଥିବା ଦେଖିବାକୁ ମିଳୁଛି । ଆଳୁ ଏକ ଲାଭ ଜନକ ଫସଲ ହୋଇଥିବାରୁ ଚାଷୀକୂଳ ପ୍ରତିବର୍ଷ ହେକ୍ଟର ହେକ୍ଟର ଚାଷଜମିରେ ଚାଷ କରିଥାନ୍ତି । ଚଳିତ ବର୍ଷ ୩ହଜାର ହେକ୍ଟରରେ ଆଳୁ ଚାଷ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଯାଜପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବରେ ଜଣାଶୁଣା । ସେହିପରି ଧର୍ମଶାଳା ଅଂଚଳରେ ବହୁଳ ଭାବରେ ଚାଷୀମାନେ ଆଳୁଚାଷ କରିଥାନ୍ତି । ଏପରିକି ଏହାର ବିକ୍ରୟ ନିମନ୍ତେ ବିଭିନ୍ନ ହାଟବଜାର ସହିତ ବାରବାଟୀରେ ଏକ ପରିବା ହାଟ ରହିଛି । ଓଡିଶାର ତିନୋଟି ସ୍ଥାନ ପନିପରିବା ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ସେଥିମଧ୍ୟରୁ ବାରବାଟୀ ମାର୍କେଟ ଅନ୍ୟତମ । ଏହି ମାର୍କେଟ ଗଢି ଉଠିବା ଫଳରେ ଧର୍ମଶାଳା ଅଂଚଳର ବିଭିନ୍ନ ଗ୍ରାମ ଓ ପଂଚାୟତରେ ଚାଷୀମାନେ ଚାଷ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି । ଅନେକ ଯୁବ ଓ ମହିଳା ଏହି ଚାଷ କାର୍ଯ୍ୟ କରି ସ୍ୱାଲମ୍ବୀ ହେଉଥିବା ଦେଖିବାକୁ ମିଳୁଛି । ଏପରିସ୍ଥଳେ ଧର୍ମଶାଳା ଅଂଚଳରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାନଯିବା ଚାଷୀକୂଳ ପାଇଁ ଅଟ୍ଟହାସ୍ୟ ସଦୃଶ ହୋଇଛି । ପ୍ରତିବର୍ଷ ଚାଷୀମାନେ ଅମଳ ଫସଲର ମୂଲ୍ୟ ହ୍ରାସର ଶିକାର ହେଉଛନ୍ତି । ଫଳରେ ଚାଷୀଟିଏ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଋଣ ପରିଶୋଧ କରିପାରୁନାହିଁ । ଯାହାଦ୍ୱାରା ଚାଷୀଟିଏ ଚାଷ କାର୍ଯ୍ୟରୁ ନିବୃତ ରହି ଦାଦନ ଖଟିବାକୁ ବାଧ୍ୟ ହେଉଛି । କିଛି ସ୍ଥାନରେ ଚାଷୀଟିଏ ଋଣଗ୍ରସ୍ତ ହୋଇ ଆତ୍ମାହତ୍ୟା ଭଳି ପନ୍ଥା ଆପଣାଉଛି । ଯାଜପୁର ଜିଲ୍ଲାରେ ଦୁଇଗୋଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଛି । ପାଣିକୋଇଲିରେ ଥିବା ଭଣ୍ଡାରଟି ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ସେହିପରି ବଡଚଣା ବ୍ଲକର ଛତିଆରେ ଥିବା ଶୀତଳ ଭଣ୍ଡାରଟି କାର୍ଯ୍ୟକ୍ଷମ ହେଉଛି । ଧର୍ମଶାଳା ଅଂଚଳର ଚାଷୀଟିଏ ଛତିଆ ଅଂଚଳକୁ ଯାଇ ତାର ଅମଳ ଫସଲକୁ ସଂରକ୍ଷିତ ରଖିବାକୁ ଉଚିତ ମଣୁନାହିଁ । କାରଣ ଧର୍ମଶାଳାରୁ ଛତିଆ ୨୦କିମିରୁ ଅଧିକ ବ୍ୟବଧାନ ହୋଇଥିବାରୁ ଅମଳ ଫସଲକୁ ନେଇ ସେଠାରେ ରଖିବା ଚାଷୀପକ୍ଷରେ ସମ୍ଭବ ହେଉନାହିଁ । ବିଶେଷ କରି ଧର୍ମଶାଳା ବ୍ଲକର କୁସୁନପୁର, ଅଂଟିଆ, କମାଗଡ, ରେଖିଦେଇପୁର, ମର୍ଜିତାପୁର, ମଧୁସୁଦନପୁର, ବୃନ୍ଦାଦେଇପୁର, ଗଙ୍ଗାଧରପୁର, ଚୋରମୁହାଁ, ଅଭୟପୁର, ଚହଟା, କୋତପୁର, ମିର୍ଜାପୁର, ପାଟପୁର, କାଏମା, ଅରାବଳ, ଉତରପ୍ରତାପ, ଦେଓଦା, ମଙ୍ଗଳପୁର, ଅରେଇକଣା, ପଟୁଣିଆ, କଦମପାଳ, କଂଟିଗଡିଆ ଆଦି ପଂଚାୟତରେ ବହୁଳ ପରେିମାଣରେ ଆଳୁଚାଷ କରାଯାଇଥାଏ । ସେହିପରି ବ୍ଲକର ଥିବା ୪୫ ଗୋଟି ପଂଚାୟତରେ ମଧ୍ୟ ପନିପରିବା ଚାଷ କରାଯାଉଛି । ଏହି ପନିପରିବା ମୂଲ୍ୟ ଅନେକ ସମୟରେ ମଧ୍ୟ ହ୍ରାସ ପାଇଥାଏ । ଏହାର ସଂରକ୍ଷଣ ଦିଗରେ ଶୀତଳ ଭଣ୍ଡାର ନଥିବାରୁ ପନିପରିବା ଗୁଡିକୁ ଚାଷୀ ଶାଗମୁଗ ଦରରେ ବିକ୍ରୀ କରିବାକୁ ବାଧ୍ୟ ହୋଇଥାଏ । ଧର୍ମଶାଳା ଚାଷୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ପାଲଟିଛି । ଏହାର ସମାଧାନ ଦିଗରେ ସରକାରୀସ୍ତରରେ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଧର୍ମଶାଳା ଅଂଚଳରେ ଧାନ, ବିରି, ମୁଗ, ବାଦାମ, କୋଳଥ ଆଦି ଚାଷ ଅଧିକ ପରିମାଣରେ କରାଯାଉଥିଲା । ବାରବାଟୀ ପରିବା ମାର୍କେଟ ଖୋଲିବା ପରେ ବିଭିନ୍ନ ଅଂଚଳରୁ ବ୍ୟବସାୟୀମାନେ ଆସି ବ୍ୟବସାୟ ଆରମ୍ଭ କଲେ । ବାରବାଟୀ ପରିବା ମାର୍କେଟ ବୃଦ୍ଧି ପାଇବା ସହିତ ଧର୍ମଶାଳାର ଚାଷୀମାନେ ବିଭିନ୍ନ ପନିପରିବା ଚାଷ କରିବାକୁ ଆଗ୍ରହୀ ହେଲେ । ଏମାନେ ପୂର୍ବରୁ କରୁଥିବା ଚାଷ କମ ପରିମାଣରେ କରି ପନିପରିବା ଚାଷ ପ୍ରତି ଗୁରୁତ୍ୱ ଦେଲେ । ଏହି ଚାଷରେ ଆଳୁ, ପିଆଜ,ରସୁଣ, ଅଦା, ପୋଟଳ, ଲଙ୍କା, ଟମାଟୋ, ଭେଣ୍ଡି, ଜହ୍ନି, କଲରା, କାକୁଡି କଖାରୁ, ଲାଉ, ଝୁଡଙ୍ଗ, ବିମ୍, ଧଣିଆ, ପୋଦିନା ବିଟ, ଗାଜର, ବାଇଗଣ, ଫୁଲକୋବି, ବନ୍ଧାକୋବି, ଓଲକୋବି, ସାରୁ, ମାଟିଆଳୁ ଆଦିକୁ ସାମିଲ କଲେ । ଧର୍ମଶାଳା ଅଂଚଳର ହଜାର ହଜାର ଚାଷୀ ଏହି ଚାଷ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହିତ ସ୍ୱାବଲମ୍ବୀ ହୋଇଛନ୍ତି । ଅନେକ ଚାଷୀ ମଧ୍ୟ ଦାଦନ ଖଟିବାରୁ ବଞ୍ଚିତ ହୋଇଛନ୍ତି । ଆଳୁ ଅଭାବୀ ବିକ୍ରୀ ଭଳି ବିଭିନ୍ନ ପନିପରିବାର ଅଭାବୀ ବିକ୍ରୀ ଲାଗି ରହିଥିବାରୁ ଚାଷୀମାନେ ଅନେକ ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି । ଧର୍ମଶାଳା ଅଂଚଲର ହଜାର ହଜାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧର୍ମଶାଳା ଅଂଚଳରେ ଏକ ମେଗା ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିକଟରେ ଦାବି କରିଛନ୍ତି । ଯଦି ଶୀତଳ ଭଣ୍ଡାରଟି ଚାଷୀ ମାନଙ୍କ ହିତ ପାଇଁ ତୁରନ୍ତ ପ୍ରତିଷ୍ଠା କରାଯାଏ ଚାଷୀକୂଳ ଲାଭବାନ ହେବା ସହିତ ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଟିଏ ଦାଦନ ନଖଟି ଚାଷ ପ୍ରତି ଆକୃଷ୍ଟ ହୋଇପାରନ୍ତା ବୋଲି ଚାଷୀମାନେ କହିଛନ୍ତି ।

Leave A Reply

Your email address will not be published.