ଏକ କର୍ପୋରେଟ୍ ସପକ୍ଷବାଦୀ ଓ ନୈରାଶ୍ଯଜନକ ବଜେଟ୍ ।

0 581

ବ୍ରହ୍ମପୁର,୦୧/୦୨; ମୋଦି ସରକାରଙ୍କ ଚଳିତ ବଜେଟ୍ କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଶର ସାଧାରଣ ଜନତାଙ୍କୁ ଏକଦମ୍ ନିରାଶ କରିଛି । ସରକାର ନିଜର ଆବଶ୍ୟକତା ପୂରଣ ପାଇଁ ମହାମାରୀ ସମୟରେ ବିପୁଳ ମୁନାଫା କମାଇଥିବା ଦେଶର ଧନାଢ୍ୟ ବର୍ଗ ବା କର୍ପୋରେଟମାନଙ୍କ ଉପରେ ପ୍ରତ୍ୟକ୍ଷ ଟିକସ ବଢାଇ ନିଜର ଖର୍ଚ୍ଚ ଭରଣା କରିବା ପରିବର୍ତ୍ତେ ରେଳ, ବୀମା, ବନ୍ଦର, ବିମାନବନ୍ଦର ପରି ଦେଶର ରାଷ୍ଟ୍ରାୟତ ଉଦ୍ଦ୍ୟୋଗକୁ ବିକ୍ରି କରି ଅର୍ଥ ସଂଗ୍ରହ କରିବାକୁ କହିଛନ୍ତି । ଜନଗଣଙ୍କ ଉପରେ ଟିକସ ଓ ସେସକୁ ବଢାଯାଇ ସରକାର ନିଜର ଖର୍ଚ୍ଚ ଭରଣା କରିବାକୁ ଚେଷ୍ଟା କରିଛନ୍ତି । ଅତ୍ୟଧିକ ଟିକସ ଲାଗି ଲଗାତାର ଦର ବଢି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଉପରେ ସରକାରଙ୍କ ଯଥାକ୍ରମେ ୨.୫୦ ଟଙ୍କା ଓ ୪ ଟଙ୍କାର ସେସ୍ ସବୁ ପଦାର୍ଥ ଓ ସେବାକୁ ମହଙ୍ଗା କରିବାକୁ ଯାଉଛି । ବଜେଟରେ କୃଷି ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ବ୍ୟୟବରାଦ ହ୍ରାସ କରାଯାଇଛି । ଗତ ବଜେଟରେ କୃଷି ବାବଦରେ ୧.୫୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟରେ ତାହା ୧.୪୮ ଲକ୍ଷ କୋଟିକୁ ହ୍ରାସ କରାଯାଇଛି । ମନରେଗା ବାବଦରେ ଗତବର୍ଷ ୧.୧୫ ଲକ୍ଷ କୋଟି ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବଜେଟରେ ସେ ବାବଦରେ ମାତ୍ର ୭୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପିଏମ୍ କିଶାନ୍ ଯୋଜନାରେ ଗତବର୍ଷ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଚଳିତ ବଜେଟରେ ତାହା ୬୫୦୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି ।ଶିକ୍ଷା,ସ୍ଵାସ୍ଥ୍ୟସେବା, ପାନୀୟ ଜଳ ଆଦି ସାମାଜିକ କ୍ଷେତ୍ରରେ ସରକାରୀ ଅନୁଦାନ ବଢି ନଥିବା ବେଳେ ସରକାର ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦେଉଥିବା ମାସିକ ଭତ୍ତାକୁ ଗତ ୧୪ ବର୍ଷ ଧରି ବୃଦ୍ଧି କରିନଥିବା ବେଳେ ଚଳିତ ବଜେଟରେ ମଧ୍ୟ ସେମାନଙ୍କୁ ପ୍ରତାରିତ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ମୋଦି ସରକାରଙ୍କ ଚଳିତ ବଜେଟକୁ କର୍ପୋରେଟ୍ ସପକ୍ଷବାଦୀ ଓ ଗରିବ ବିରୋଧୀ ବୋଲି କୁହାଯାଇପାରେ । ଏହା ଦେଶର ସାଧାରଣ ଜନତାଙ୍କୁ ନିରାଶ କରିଛି । ମହାମାରୀ ଯୋଗୁଁ ନିଜର ରୋଜଗାର ହରାଇଥିବା ଦେଶର ଯୁବକମାନଙ୍କୁ ନୂତନ ରୋଜଗାର ଯୋଗାଇବାରେ ବିଫଳ ହୋଇଛି ବୋଲି ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀ ମୁଖପାତ୍ର ଭାଲଚନ୍ଦ୍ର ଷଢଙ୍ଗୀ ପ୍ରେସ୍ ବିବୃତିରେ କହିଛନ୍ତି।

Leave A Reply

Your email address will not be published.