ବେଲଗୁଣ୍ଠା-୧୮/୦୧(ପିପିଟି);ଦୀର୍ଘ ଦିନର ପ୍ରତିକ୍ଷା ପରେ ସାରା ଭାରତରେ କୋଭିଡ ବିରୋଧୀ ଟୀକାକରଣ ମହାଭିଯାନ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ।ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କୋଭିଡ ଟୀକା ଦିଆଯିବାର ଲକ୍ଷ୍ୟ ରହିଛି ।ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କୋଭିଡ୍ ଟୀକା କୋଭିସିଲ୍ଡର ଟୀକାକରଣ ଆରମ୍ଭ ହୋଇଯାଇଛି । ଏଥିରେ ବେଲଗୁଣ୍ଠା ତହସିଲଦାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆମେ ସମସ୍ତେ ମିଳିମିଶି କରୋନା ବିପକ୍ଷରେ ଲଢେ଼ଇ ଜାରିରଖିଛେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ମାନଙ୍କ ଅବଦାନ ଅତୁଳନୀୟ ଏବଂ ଟୀକାକରଣ ପରେ ଆମେ କରୋନା ବିରୋଧରେ ସମ୍ପୂର୍ଣ୍ଣ ବିଜୟ ଲାଭ କରିପାରିବା ବୋଲି ବକ୍ତବ୍ୟ ରଖିଥିଲେ । ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ବାଲୁଙ୍କେଶ୍ୱର ଷଢଙ୍ଗୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବେଲଗୁଣ୍ଠା ଓ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମଚାରୀ ମାନଙ୍କୁ ଡାଃ ଶ୍ରୀ ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । କରୋନା ଯୋଦ୍ଧା,ଆମ ଦେଶର ବୈଜ୍ଞାନିକ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଆମକୁ କରୋନା ଯୁଦ୍ଧ ବିଜୟର ଦ୍ୱାରଦେଶରେ ପହଞ୍ଚାଇଛି ବୋଲି ସେ କହିଥିଲେ । ପ୍ରଥମେ ସେ କୋଭିସଲ୍ଡ୍ ଟୀକା ନେଇ ଟୀକାକରଣ ଆରମ୍ଭ କରିଥିଲେ ।ପରେ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ ଡାକ୍ତର,୩ଜଣ ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ୪ ଜଣ,୧୮ଜଣ ଆଶା କର୍ମୀ, ୪୩ ଜଣ ଅଙ୍ଗନୱାଡି କର୍ମୀ,୩୪ଜଣ ଅଙ୍ଗନୱାଡି ହେଲ୍ପର, ଜଣେ ସଫେଇ କର୍ମଚାରୀ,ଅନ୍ଯ ୧୦ଜଣଙ୍କ ସହ ମୋଟ ୧୨୦ଜଣ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଟୀକା ନେଇଥିଲେ ।ଟୀକା ନେବା ପରେ ସମସ୍ତଙ୍କୁ ଅଧ ଘଣ୍ଟା ଲେଖାଏଁ ସ୍ୱତନ୍ତ୍ର ଅନୁକ୍ଷଣ କରାଯାଇଥିଲା କିନ୍ତୁ ଜଣଙ୍କ ଠାରେ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନଥିବା ସୁଚନା ମିଳିଛି ।ଆଜି ଓ ଆସନ୍ତା ୨୨ତାରିଖରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,୧୯ ଓ ୨୫ ତାରିଖରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ କାର୍ଯ୍ୟକ୍ରମ ରହିଛି ବୋଲି ଅଧିକ୍ଷକ ଡାକ୍ତର ଶ୍ରୀ ଷଢଙ୍ଗୀ ପ୍ରକାଶ କରିଛନ୍ତି । ଟୀକାକରଣ ସମୟରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିବା ନିର୍ଦ୍ଦେଶ ରହିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post