ଭଞ୍ଜନଗର,୦୮/୦୧(ପିପିଟି); ଭଞ୍ଜନଗର ସହରର ଭଞ୍ଜମାର୍ଗ ଠାରୁ ପୁରୁଣା ବଜାର ସାହି ରାସ୍ତାର ଉନ୍ନତିକରଣ ନିମନ୍ତେ ଆଜି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତରଫରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ଉପସ୍ଥିତିରେ ଡ୍ରେନ ଉପରେ ଥିବା ବହୁ ଦୋକାନ ଓ ଘରକୁ ଜେସିବି ମେସିନ ଦ୍ୱାରା ଭଙ୍ଗା ଯାଉଛି। ଦୀର୍ଘ ବର୍ଷ ଧରି ଥାନା ପାଚେରୀକୁ ଲାଗିରହିଥିବା ବହୁ ଉଠା ଦୋକାନୀଙ୍କୁ ଏନ୍ଏସି ତରଫରୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ମିଳିବା ପରେ ସେମାନେ ସ୍ୱତଃ ପ୍ରବୃତ୍ତ ଭାବେ ଜବର ଦଖଲ ଜାଗା ଖାଲି କରିବାକୁ ବାଧ୍ୟ ହୋଇଛନ୍ତି। ଏହି ନୂତନ ରାସ୍ତା ନିର୍ମାଣ ନିମନ୍ତେ ୨କୋଟି ୫୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ଏବଂ ଏହାର ସମୟ ସୀମା ଚଳିତ ବର୍ଷ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଥିବା ନିର୍ବାହୀ ଯନ୍ତ୍ରୀ ରମେଶ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଏନ.ଏ.ସି ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ଓ ଅନ୍ୟ କର୍ମଚାରୀମାନେ ସେହି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )