କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଦେବା ଦେବୀ ମନ୍ଦିରରେ ୧୪୪ ଧାରା ଜାରି ।

0 413

ଜଗତସିଂହପୁର,୨୮/୧୧(ପିପିଟି):ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର ବିଭିନ୍ନ ଦେବା ଦେବୀ ମନ୍ଦିରରେ ୧୪୪ ଧାରା ଜାରିକରିଛନ୍ତି । ଏହି ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଶ୍ରଦ୍ଧାଳୁ ମନ୍ଦିର ଓ ବିଭିନ୍ନ ଧର୍ମପିଠରେ ଦେବ ଦର୍ଶନ କରି କାର୍ତ୍ତିକ ମାସର ଶେଷରେ ପୂଣ୍ୟ ଅର୍ଜନ କରିଥାନ୍ତି । ଜନଗହଳି ଓ କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଦଶହରା ସମୟରେ ଜଗତସିଂହପୁରର ସମସ୍ତ ପୂଜା ମଣ୍ଡପରେ କଟକଣା ଲାଗୁ ହୋଇଥିଲା ।
ଏବେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ନଭେମ୍ବର ୨୮ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରମୁଖ ଦେବା ଦେବୀଙ୍କ ପୀଠରେ ଏହି କଟକଣା ଜାରି କରାଯାଇଛି। କୌଣସି ଧର୍ମ ପୀଠରେ ୪ଜଣରୁ ଅଧିକ ଲୋକ ଏକାଠି ହେଲେ ସେମାନଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ । ବିଶେଷକରି ଧର୍ମ ପୀଠ ମାନଙ୍କ ମଧ୍ୟରେ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ମନ୍ଦିର, ପାରାଦ୍ଵୀପ ଜଗନ୍ନାଥ ମନ୍ଦିର, ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସରବନ୍ତ ଜଗନ୍ନାଥ ମନ୍ଦିର, ଶ୍ରୀବୃନ୍ଦାବନଜୀଉ ମନ୍ଦିର ଗୋଡା, ଗ୍ରାମେଶ୍ବର ମନ୍ଦିର ପଞ୍ଚପଲୀ, ଗାରୋଇ ଜଗନ୍ନାଥ ମନ୍ଦିର, ଧ୍ଯାନକୁଦ ଜଗନ୍ନାଥ ମନ୍ଦିର,ସିଦ୍ଧଳ ଜଗନ୍ନାଥ ମନ୍ଦିର, ସୋମନାଥ ମହାଦେବ ମନ୍ଦିର ହାଟବଜାର ପ୍ରଭୃତି ସ୍ଥାନରେ ଜିଲ୍ଲାପାଳ ୧୪୪ଧାରା ଲାଗୁକରିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଭିଡକୁ ଦୃଷ୍ଟିରେ ରଖି ଡଙ୍ଗା ଭସା ପ୍ରତି କଟକଣା ଜାରି କରାଯାଇଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.