ଗଞ୍ଜାମ ଜିଲ୍ଲା ପଛକୁ ଯିବ ନାହିଁ,ଗଞ୍ଜାମ ଜିଲ୍ଲାର ମଡେଲ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି : ପ୍ରମୂଖ ଶାସନ ସଚିବ ।

0 867

ଛତ୍ରପୁର ,୧୭/୧୧(ପିପିଟି) ; କୋଭିଡ୍ ପରିଚାଳନା ନୋଡାଲ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୂଖ ଶାସନ ସଚିବ ଜି.ମାଥିଭାଥାନନ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟ ଗୁଡିକ ସମୀକ୍ଷା କରିଛନ୍ତି । ତାମ୍ପରା ଠାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧୀକାରୀମାନଙ୍କୁ ନେଇ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଶ୍ରୀ ମାଥିଭାଥାନନ ଜଣାଇଥିଲେ ଯେ, ଗତ ମାର୍ଚ୍ଚ ମାସ ଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପିତ ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଞ୍ଜାମ ମୋଡେଲ୍ କୁ ପରିଚିତ କରାଇପାରିଛନ୍ତି । ତେଣୁ ସମସ୍ତେ ଧନ୍ୟବାଦ ର ପାତ୍ର । ଏହି ଦଳରେ ସେ ନିଜେ ସାମିଲ୍ ହୋଇଥିବା ହେତୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିବା କହିଥିଲେ । ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚ୍ୟାଲେଞ୍ଜର ସହ ପରିଚାଳନା କରିବା ଦିଗରେ ନିଜକୁ ପ୍ରସ୍ତୁତ କରି ରଖିବା ଓ ଏକ ଦଳ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଜଣାଇଥିଲେ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାକୁ ଆଗକୁ ନିଆଯାଇଛି । ଗଞ୍ଜାମ ଜିଲ୍ଲା ପଛକୁ ଯିବ ନାହିଁ । ଗଞ୍ଜାମ ଜିଲ୍ଲାର ମଡେଲ ଯୋଗୁଁ ଆଜି ବିଶ୍ୱ ଦରବାରରେ ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜିଲ୍ଲାକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇବା ଦିଗରେ ଅନେକ ଯୋଜନାମାନ କରି ସେମାନଙ୍କ ଜୀବନଜୀବିକା ଓ ଆର୍ଥନୈତିକ କାର୍ଯ୍ୟଧାରାକୁ ପୁନଃର୍ଜିବିତ କରାଯାଉଛି । ଆଜି ଦ୍ୱିତୀୟ ଲହରକୁ ରୋକିବା ଦିଗରେ କେଉଁ ରଣ କୌଶଳ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଜଣାଇ ଜିଲ୍ଲାରେ ଆଜି ୭ ଜଣ ରୋଗୀ ସଂକ୍ରମିତ ହୋଇଛନ୍ତି ଏବଂ ୭୭ ଗୋଟି ଆକ୍ଟିଭ୍ କେଶ୍ ରହିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଲହରକୁ ରୋକିବା ଲକ୍ଷ ନେଇ କାର୍ଯ୍ୟ ଚାଲିଛି । ସାମାଜିକ ଦୂରତ୍ୱ,ମାସ୍କ ବ୍ୟବହାର,ସଚେତନତା କାର୍ଯ୍ୟ ଓ ଧରପଗଡ ଚାଲିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚର ଅଷ୍ଟମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଉକ୍ତ ସର୍ଭେ କାର୍ଯ୍ୟରେ ମାତ୍ର ୩୩ ଜଣ ସାମାନ୍ୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ସିଟି ଚିକିତ୍ସାଳୟରେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଠାରେ ପୂର୍ବଭଳି ବିପଦ ନାହିଁ । ଟାଟା କୋଭିଡ୍ ଚିକିତ୍ସାଳୟର ଆବଶ୍ୟକତା ନଥିବା ହେତୁ ଚଳିତ ମାସ ଶେଷ ସୁଦ୍ଧା ତାହାକୁ ବନ୍ଦ କରିବାର ଯୋଜନା ରହିଛି । କେବଳ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଅଶ୍ୱିନୀ କୋଭିଡ୍ ଚିକିତ୍ସାଳୟ କେନ୍ଦ୍ର ଦୁଇଟିରେ ଚିକିତ୍ସା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମା ଶଙ୍କର ମିଶ୍ର ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ର ସୁପରିଟେଣ୍ଡେଣ୍ଟଡଃ ସନ୍ତୋଷ କୁମାର ମିଶ୍ର କୋଭିଡ୍ ର ଦ୍ୱିତୀୟ ଲହର ସକାଶେ ସେମାନଙ୍କର ପର୍ଯ୍ୟାବେକ୍ଷଣ ଓ ରଣ କୌଶଳ କିଭଳୀ ହେବା ଆବଶ୍ୟକ ତାହା ପ୍ରକାଶ କରିଥିଲେ । ଜିଲ୍ଲାକୁ ୪ ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନେକ ଗୁଡିଏ କାର୍ଯ୍ୟ ହାତକୁ ନିଆଯାଇଛି । ଅଙ୍ଗନୱାଡି କେନ୍ଦ୍ର,ପଂଚାୟତ ଭବନ,ଗୋଷ୍ଟୀ ଶୌଚାଳୟ ଗୃହ,ଗ୍ରାମ ପଞ୍ଚାୟତ କୋଠାଗୃହ,ଶ୍ମଶାନ,ଗ୍ରାମାଂଚଳ ପାର୍କ,ଗ୍ରାମ୍ୟ ପାଠାଗାର ପ୍ରଭୃତି ନିର୍ମାଣ କରାଯାଇଛି । ବିଭିନ୍ନ ବ୍ୟକ୍ତିଗତ ସମ୍ପତ୍ତି ସୃଷ୍ଟିକରି ଗାଇ ଗୁହାଳ,କୁକୁଡା ପାଳନ ଗୃହ, ଛେଳିଗୃହ,ଫାର୍ମ ପୋଖରୀ ଇତ୍ୟାଦି ମାଧ୍ୟମରେ ଦୀର୍ଘ କାଳୀନ ଯିବିକା ସୁଯୋଗ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରକାଶ କରି ଗଞ୍ଜାମ ଜିଲ୍ଲାପାଳ ଜଣାଇଥିଲେ ଯେ,ବାର୍ଷିକ ୨୧୨୬୮୦୩୦ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ରଖାଯାଇ, ତନ୍ମଧ୍ୟରୁ ଏଯାବତ୍ ୧୨୧୫୪୪୫ ଶ୍ରମଦିବସ ସୃଷ୍ଟି ହୋଇପାରିଛି । ଯାହାକି ଶତକଡା ୫୭ ପ୍ରତିଶତ ହୋଇଛି । ଏଥିରେ ସମୁଦାୟ ୨୭୮ କୋଟି ୧୯ ଲକ୍ଷ ୭୫ ହଜାର ଖର୍ଚ୍ଚ ହୋଇଛି । କର୍ମନିଯୁକ୍ତି ସକାଶେ ୫୭୭୧୬୬ ଗୃହର ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି । ୨୨୮୨୫୩ ଗୋଟି ପରିବାରକୁ କର୍ମନିଯୁକ୍ତି ଦିଆଯାଇପାରିଛି । ୧୫୫୧୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି । ୩୫୯୮ ଗୋଟି ଆଦର୍ଶ ଗାଇ ଗୁହାଳ ଲକ୍ଷ ରଖାଯାଇଥିବା ବେଳେ ୨୫୦ ଗୋଟି ଶେଷ ହୋଇ ୩୩୪୮ ଟି ଗୁହାଳ କାର୍ଯ୍ୟ ଚାଲିଛି । ୯୬୬ ଟି ମୋ ଉପକାରୀ ବଗିଚା ନିମନ୍ତେ ଲକ୍ଷ ଧାର୍ଯ୍ୟ ହୋଇ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ୧୧୦୩ ଜଳ ସେଚନ ନିମନ୍ତେ କୂପ ଖନନ ଲକ୍ଷ ରଖାଯାଇ ୧୬୭ ଟିର କାର୍ଯ୍ୟ ଶେଷ ହୋଇଛି ଏବଂ ୯୩୬ ଟି କାର୍ଯ୍ୟ ଚାଲିଛି । ୪୮୯ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଲକ୍ଷ ରଖାଯାଇ ୨୪ ଟିର କାର୍ଯ୍ୟ ଶେଷ ହୋଇଛି ଏବଂ ୪୬୫ ଟିର କାର୍ଯ୍ୟ ଚାଲୁ ରହିଛି । ୭୬୫ ଟି ମୋ ଫାର୍ମ ପୋଖରୀ କାର୍ଯ୍ୟ ହାତକୁ ନିଆଯାଇ ତନ୍ମଧ୍ୟରୁ ୭ଟିର କାର୍ଯ୍ୟ ସମାପନ ହୋଇ ୬୯୩ ଟିର କାର୍ଯ୍ୟ ଚାଲିଛି । ଓଡିଶା ଜୀବନ ଜୀବିକା ମିଶନ୍ ରେ ଗଞ୍ଜାମର ବିଭିନ୍ନ ଜୀବିକା କାର୍ଯ୍ୟକଳାପ ମଧ୍ୟରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଟୀ ଓ ସ୍ୱୟଂ ସହାୟକ ଦଳର ସଦସ୍ୟ ଏବଂ ଉତ୍ପାଦକ ଗୋଷ୍ଟି ମାନଙ୍କୁ ସମର୍ଥନ କରାଯାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଦି କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର ବ୍ରହ୍ମପୁର ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗୀୟ ସମସ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.