ବାଲିକୁଦିଆଠାରେ ପ୍ରତିଷ୍ଠା ହେବ ମେଗା ପାନୀୟ ଜଳ ପ୍ରକଳ୍ପ ; ଘରେ ଘରେ ପହଞ୍ଚିବ ପାନୀୟ ଜଳ ।

0 18

ଯାଜପୁର,୦୫/୧୧(ପିପିଟି); ଘରେ ଘରେ ପାନୀୟ ଜଳ ପହଂଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ପ୍ରତି ପଂଚାୟତରେ ଏକ ଓଭର ହେଡ ଟ୍ୟାଙ୍କ ମାଧ୍ୟମରେ ଘର ଘରକୁ ପାଣି ଯୋଗାଯିବ । ଏଥିନିମନ୍ତେ ଏକ ମେଗା ପ୍ରକଳ୍ପ ବ୍ଲକ ସ୍ତରରେ ପ୍ରତିଷ୍ଠା କରାଯିବ । ସେହି କ୍ରମରେ ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତ ବାଲିକୁଦିଆଠାରେ ଏହି ପ୍ରକଳ୍ପ କରାଯିବ ବୋଲି ସ୍ଥାନ ନିରୂପଣ କରାଯାଇଛି । ସେହିପରି ବଡଚଣା ବ୍ଲକ ରାଧାଦେଇପୁର ପଂଚାୟତର ଦାମୋଦରପୁର ଠାରେ ମଧ୍ୟ ଏକ ମେଗା ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ମେଗା ଇନଜିନିୟରିଂ ଆଣ୍ଡ୍ ଇନଫାଷ୍ଟ୍ରକଚର ଲିମିଟେଡକୁ ଏହି କାର୍ଯ୍ୟ କରିବାକୁ ହସ୍ତାନ୍ତର କରାଯାଇଛି । ଏହି ପ୍ରକଳ୍ପ ପାଇଁ ୩୫୧କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି । ଧର୍ମଶାଳା ବ୍ଲକର ୪୫ଗୋଟି ପଂଚାୟତ ଓ ବଡଚଣା ବ୍ଲକର ୪୩ଗୋଟି ପଂଚାୟତର ସମୁଦାୟ ୪କୋଟି ୮୧ଲକ୍ଷ ୫୨୨ଜଣ ପାନୀୟ ଜଳ ପାଇପାରିବେ । ଧର୍ମଶାଳା ବ୍ଲକର ୨୩୯ ଗ୍ରାମର ୨କୋଟି ୩୫ଲକ୍ଷ ୭୩୩ଲୋକ ଓ ବଡଚଣା ବ୍ଲକର ୨୨୬ ଗ୍ରାମର ୨କୋଟି ୪୫ଲକ୍ଷ ୭୮୯ଲୋକ ଉପକୃତ ହେବେ । ଦୈନିକ ଧର୍ମଶାଳା ବ୍ଲକ ପାଇଁ ୩୦.୪୨ମିଲିଲିଟର ପାଣି ଆବଶ୍ୟକ ରହିଥିବା ବେଳେ ବଡଚଣା ପାଇଁ ୩୧.୨୦ମିଲି ଲିଟର ପାଣି ଆବଶ୍ୟକ ରହିଛି । ଏହି କାର୍ଯ୍ୟ ୧୭.୦୨.୨୦୧୯ରେ ଆରମ୍ଭ ହୋଇ ୧୬.୦୨.୨୦୨୧ରେ ଶେଷ ହେବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥିନିମନ୍ତେ ଦୁଇ ବ୍ଲକରେ ଥିବା ପଂଚାୟତ ଗୁଡିକରେ ଓଭର ହେଡ୍ ଟାଙ୍କି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅନେକ ପଂଚାୟତରେ ଏହି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନେକ ପଂଚାୟତରେ କାର୍ଯ୍ୟ ଚାଲୁ ରହିଛି । ପ୍ରକାଶ ଥାଉ କି ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତ ବାଲିକୁଦିଆର ବ୍ରାହ୍ମଣୀ ନଦୀ ପଠାରେ ଏକ ଇନଟେକ୍ୱାଲ ପ୍ରତିଷ୍ଠା କରାଯିବ । ସେଠାରୁ ଜଳ ଅଣାଯାଇ ତାର ୫ଶହ ମିଟର ବ୍ୟବଧାନରେ ଏକ ଜଳ ବିଶୋଧନାଗାରରେ ପାଣିକୁ ବିଶୋଧନ କରାଯାଇ ଗଛିତ ରଖାଯିବା ସହ ବିଭିନ୍ନ ଓଭର ହେଡ ଟାଙ୍କିକୁ ପାଇପ ଯୋଗେ ଜଳ ଯୋଗାଣ କରାଯିବ । ସେହିପରି ବଡଚଣା ବ୍ଲକ ରାଧାଦେଇପୁର ପଂଚାୟତ ଦାମୋଦରପୁର ନିକଟ ଗେଙ୍ଗୁଟି ନଦୀରେ ଏକ ଇନଟେକ୍ୱାଲ କରାଯିବ । ସେଠାରୁ କିଛି ଦୂରରେ ବିଲିକଣାଠାରେ ଏକ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯିବ । ସେଠାରୁ ଅନୁରୂପ ଭାବେ ବଡଚଣା ବ୍ଲକର ୪୩ଗୋଟି ପଂଚାୟତକୁ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା ରହିଛି । ପୂର୍ବରୁ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନଳକୂପ, ସୋଲାର ଚାଳିତ ଟାଙ୍କି, ବୋରୱେଲ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ଫଳରେ ଜଳସ୍ତର ହ୍ରାସ ପାଉଥିଲା । ଯାହାଦ୍ୱାରା ନଦୀ, ନାଳ, କୂଅ, ପୋଖରୀ ଆଦି ଶୁଖି ଯାଉଥିଲା । ବିଶେଷ କରି ଖରାଦିନରେ ଜଳକଷ୍ଟ ଦେଖାଦେଉଥିଲା । ଚାଷୀମାନେ ମଧ୍ୟ ନଦୀ ନାଳରୁ ବିଲକୁ ପାଣି ମଡାଇବାରେ ଆସୁବିଧାର ସମ୍ମୁଖୀନ ହେଉଥିଲେ । ଏଭଳି ଅନେକ ସମସ୍ୟାରୁ ମୁକୁଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନଦୀରୁ ପାଣି ସଂଗ୍ରହ କରି ଏକ ମେଗା ପ୍ରକଳ୍ପ ଜରିଆରେ ବିଭିନ୍ନ ପଂଚାୟତକୁ ପାଣି ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଗ୍ରାମାଂଚଳରେ ପାନୀୟ ଜଳର ସମସ୍ୟା ଦୂରୀଭୂତ ହେବା ସହ ଭୂତଳ ଜଳସ୍ତର ହ୍ରାସ ପାଇବ ନାହିଁ । ଦୀର୍ଘଦିନ ହେବ ପାନୀୟ ଜଳ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିଲା । ଏହାର ପ୍ରତିକାର ଦିଗରେ ସରକାର ବାର୍ଷିକ ଶହ ଶହ କୋଟି ଟଙ୍କା ବ୍ୟୟ କରି ମଧ୍ୟ ବିଫଳ ହୋଇଥିଲେ । ଯେଉଁ ତିମିରେକୁ ସେଇ ତିମିରେ ନ୍ୟାୟରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଥିଲା । ଖରାଦିନ ଆସିବା ପୂର୍ବରୁ ବିଭିନ୍ନ ଜଳ ଉତ୍ସ ଗୁଡିକ ଶୁଖିଯାଉଥିଲା । ଗ୍ରାମାଂଚଳରେ ରହୁଥିବା ଲୋକମାନେ ଦୂରଦୂରାନ୍ତକୁ ଯାଇ ପାନୀୟ ଜଳ ସଂଗ୍ରହ କରୁଥିଲେ । ବର୍ତ୍ତମାନ ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଗଲେ ଦୀର୍ଘ ଦିନ ହେବ ଲାଗିରହିଥିବା ସମସ୍ୟା ଦୂର ହୋଇପାରିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜା କହିଛନ୍ତି । ବିଶେଷ କରି ଜଳସ୍ତର ହ୍ରାସ ନପାଇ ପ୍ରତି ଘରେ ପାଣି ପହଂଚିବାର ସୁବିଧା ହୋଇପାରିବ ବୋଲି ଶ୍ରୀ ପରିଜା ଆଶାବ୍ୟକ୍ତ କରିଛନ୍ତି । ତେବେ ଦିବଂଗତ ରାଜ୍ୟସଭା ସାଂସଦ କଳ୍ପତରୁ ଦାସ ଧର୍ମଶାଳା ବ୍ଲକର ସବୁ ପଂଚାୟତକୁ ପାଣି ଯୋଗାଇବା ପାଇଁ ବ୍ରାହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ ଦେଉଳି ପାହାଡ ପାଦଦେଶରେ ଏକ ମେଗା ପ୍ରକଳ୍ପ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ୧୬ନଂ ଜାତୀୟ ରାଜପଥ ଦୁଇ ପାଶ୍ୱର୍ରେ ଏହି ପ୍ରକଳ୍ପ କରାଯାଇଥିଲେ ଏହା ଧର୍ମଶାଳାର ସମସ୍ତ ପଂଚାୟତକୁ ସୁଚାରୁରୂପେ ପାନୀୟ ଜଳ ଯୋଗାଣ ହୋଇପାରିଥାନ୍ତା ବୋଲି ସେ ପରିକଳ୍ପନା କରିଥିଲେ । ହେଲେ ବର୍ତମାନ ଏହି ପ୍ରକଳ୍ପକୁ ବ୍ଲକର ସୀମାନ୍ତ ଅଂଚଳରେ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଇଥିବା ବେଳେ ଏହା କେତେଦୂର ଫଳପ୍ରଦ ହେବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ପ୍ରକଳ୍ପ ପ୍ରତିଷ୍ଠାକୁ ନେଇ ବାଲିକୁଦିଆ ଗ୍ରାମର ଲୋକମାନେ ବିରୋଧ କରୁଥିବା ବେଳେ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଡିଏମ ଅକ୍ଷୟ କୁମାର ମଲିକ, ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା, ଥାନା ଅଧିକାରୀ ଆଶିଷ କୁମାର ସାହୁ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା ଓ ମେଗା ପ୍ରକଳ୍ପ ଅଧିକାରୀ ପୁରୁଷୋତମ ରାଓ ପ୍ରମୁଖ ସେଠାରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଲୋକମାନଙ୍କୁ ବୁଝାସୁଝା କରି ପ୍ରକଳ୍ପ ଆରମ୍ଭ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେଠାରେ ପ୍ରକଳ୍ପ ଆରମ୍ଭ ହୋଇଗଲେ ପାନୀୟ ଜଳ ସମସ୍ୟା ଦୂରିଭୂତ ହୋଇପାରିବ ବୋଲି ଅଧିକାରୀମାନେ ଆଶାପୋଷଣ କରିଛନ୍ତି ।

Leave A Reply

Your email address will not be published.