ବ୍ରହ୍ମପୁର,୦୩/୧୧(ପିପିଟି); ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ହାସଲ କରି ଶିକ୍ଷକ ପଦବୀ ହାତେଇଥିବା ନେଇ ଫରୱାର୍ଡ ବ୍ଲକ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଛି ଏବଂ ୧୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଲିଖିତ ଅଭିଯୋଗ କରାଯାଇଛି। ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଠାରୁ ଜିଲ୍ଲା ପ୍ରଶାସନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସଠିକ୍ ତଦନ୍ତ କରାନଯାଇ ଧର୍ମକୁ ଆଖି ଠାର ଭଳି ତଦନ୍ତ ଚାଲିଛି। ବିଇଓ ମାନେ ତଦନ୍ତକାରୀ ଅଧିକାରୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ପ୍ରଭାବିତ ହେଉଥିବା ପରିଲକ୍ଷିତ ହେଉଛି। ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସୁରକ୍ଷା ପାଇଁ ଅର୍ଥ କାରବାର ଚାଲିଛି ବୋଲି ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ଅର୍ଥ ମୋହରେ ଅନ୍ଧ ହୋଇ ସରକାର ଓ ପ୍ରଶାସନ ନିର୍ଦ୍ଦେଶକୁ ମଧ୍ୟ ଖାତିରି କରୁନାହାଁନ୍ତି ବିଇଓ ମାନେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୫ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ଏବଂ ପ୍ରାୟ ୧୦ ଜଣ ଚାକିରୀ ଛାଡ଼ି ପଳାଇଛନ୍ତି। ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ତଦନ୍ତ ପାଇଁ ବାରମ୍ବାର ଚିଠି ହେଉଥିଲେ ମଧ୍ୟ ତଦନ୍ତ ଶୀତଳ । କୋଭିଡ୍ ପାଇଁ ପ୍ରାୟ ସାତ ମାସ ସୁରକ୍ଷା ପାଇଲେଣି ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀ। ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀ ତଦନ୍ତ କ୍ଷେତ୍ରରେ ପୁରୁଷୋତ୍ତମପୁର, ବେଗୁନିଆପଡା,ପୋଲସରା,ପାତ୍ରପୁର,ବୁଗୁଡା ବିଇଓ ମାନଙ୍କ କାର୍ଯ୍ୟଶୈଳୀ ସନ୍ଦେହ ଜନକ ଥିବା ନେଇ ଆଲୋଚନା ହେଉଛି। ସଂପୃକ୍ତ ବିଇଓ ମାନଙ୍କ କାର୍ଯ୍ୟଶୈଳୀକୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ନଜର ରଖିବାକୁ ଫରୱାର୍ଡ ବ୍ଲକ ପକ୍ଷରୁ ଦାବି କରାଯାଇଛି। ଜାଲ୍ ସାର୍ଟିଫିକେଟ୍ ତଦନ୍ତକୁ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ ଓ ଡିଇଓ ଅଧିକ ଗୁରୁତ୍ୱ ଦେବା ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବିଇଓ ମାନଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫରୱାର୍ଡ ବ୍ଲକ ଦାବି କରିଛି।