ଗଞ୍ଜାମ ଜିଲ୍ଲାରେ ପଥର ଓ ବାଲି ମାଫିଆଙ୍କ ପ୍ରାଦୁର୍ଭାବ !

0 603

ଦିଗପହଣ୍ଡି,୨୩/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ ପଥର,ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦ୍ଵାରା ପ୍ରଶାସନ ପରିଚାଳିତ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋରଧରିଥିବା ବେଳେ ଉଚ୍ଚପଦସ୍ଥ କିଛି ପ୍ରଶାସକଙ୍କ ଦ୍ଵାରା ପ୍ରୟୋଜିତ କାର୍ଯ୍ୟକ୍ରମ ଭିତ୍ତିରେ ଲୁଟେରା ଗୋଷ୍ଠୀ ଅଞ୍ଚଳ ରାଜନୀତିକୁ ପ୍ରଭାବିତ କରୁଥିବା ଜଣାଯାଇଛି । ରାଜନୈତିକ ପାଣ୍ଠି ଯୋଗାଡ଼ର ଏକ ପ୍ରମୁଖମାଧ୍ୟମ ଭାବରେ ଚୋରା ଲଘୁଖଣିଜ ଦ୍ରବ୍ୟ ମାଫିଆଙ୍କ ଗୁରୁତ୍ବ ରହୁଥିବାରୁ ଏମାନଙ୍କ ପ୍ରତି କରାଯାଉଥିବା ଗୁରୁତର ଅଭିଯୋଗକୁ ମଧ୍ୟ ପ୍ରଶାସନ ବାଆଁରେଇ ଯାଉଥିବା ଦୃଷ୍ଟିଗୋଚର ହେଉଅଛି । ଏହି ପରିପ୍ରେକ୍ଷୀରେ ଏମାନଙ୍କ ରାହାଜାନୀରେ ଜିଲ୍ଲା ରାଜସ୍ବ ବିଭାଗର ତୃଣମୂଳ ସ୍ତରରେ କାର୍ଯ୍ୟରତ ତହସିଲ ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ପ୍ରଭାବିତ ହେବା ସହ କିଛି କ୍ଷେତ୍ରରେ ମାନସିକ ଓ ଶାରିରୀକ ଭାବରେ ଉତ୍ପିଡିତ ହେଉଥିବା ଖବର ମଧ୍ୟ ରହିଅଛି । ଜନସମାଜର ସାମୁହିକ ବିକାଶରେ ନଦୀ ଜଳସ୍ରୋତର ଆବଶ୍ୟକତାକୁ ଦୃଷ୍ଟିରେ ନ ରଖି , ସ୍ରୋତର ସଂରକ୍ଷଣକୁ ଅଣଦେଖା କରାଯାଇ ବହୁ ନଦୀର ବାଲିଉତ୍ସକୁ ରାଜସ୍ବ ଆଦାୟ ଆଶାରେ ଲୁଟେରାଙ୍କ ହାତରେ ନିଲାମି ନ ଦେଇ ପ୍ରଶାସନ ହାତବାନ୍ଧି ବସିଥିବା ବେଳେ ଲୁଟେରା ଗୋଷ୍ଠି ବିଭିନ୍ନ ଆଳରେ ବିଭାଗୀୟ ଅଣ ସ୍ଵୀକୃତିରେ ,ବିନା ପରିବେଶ ମଞ୍ଜୁରୀ , ବିନା ମାଇନିଙ୍ଗ୍ ପ୍ଲାନରେ ,ବିନା ୱ୍ଵାଇ ଫାର୍ମରେ ଖଣିଜ ଦ୍ରବ୍ୟ ଚାଲାଣ କରୁଥିବା ଜଣା ଯାଉଅଛି । ଜିଲ୍ଲାର ପ୍ରମୁଖ ନଦୀର ଭୂମିର ସ୍ତର ସ୍ଥଳବିଶେଷରେ କୋଡ଼ିଏ ରୁ ପଚିଶ ଫୁଟ ତଳକୁ ଚାଲିଯାଇଥିବା ବେଳେ ଆନୁମାନିକ ରାଜସ୍ବ ସଂଗ୍ରହରେ ଶିଥିଳତା ଦେଖାଯାଇଛି । ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ସମ୍ପ୍ରତି ବହୁ ନଦୀକୂଳିଆ ଗ୍ରାମ ନଦୀରେ ଲୀନ ହେବାକୁ ବସିଥିବା ସହ ଗ୍ରାମକୁ ସଂଯୋଗ କରୁଥିବା ଯାତାୟାତ ପୋଲ ମଧ୍ୟ ଭାସିଯିବା ଅବସ୍ତାରେ ଥିବା ଦେଖିବାକୁ ମିଳିଛି । ପରନ୍ତୁ କିଛି ପ୍ରଶାସକଙ୍କ ମୁନାଫା ଖାେର ଚିନ୍ତାଧାରା ଯୋଗୁଁ ବହୁ ସଇରାତ ଅଣ ନିଲାମି ଥାଇ ନିୟମିତ ଭାବେ ବାଲି ଚୋରାଚାଲାଣ ହେଉଥିବା ଜଣା ଯାଇଅଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ମୌଳାଭଞ୍ଜା ରାଜସ୍ବ ସର୍କଲର ୩୨୬ ଜାତୀୟ ରାଜପଥରେ ଘୋଡାହାଡ଼ ନଦୀର ଯାତାୟତ ପୋଲ୍ ଉଭୟ ପର୍ଶ୍ଵକୁ ଚୋରା ବାଲି ମାଫିଆଙ୍କ ଦ୍ଵାରା ବିନା ଅଧିକୁତ ଆଦେଶରେ ଦୀର୍ଘ ତିନି ବର୍ଷଧରି ଲୁଟିନେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ରହୁଥିବା , ଲୁଟେରାଙ୍କ ଦ୍ଵାରା ଅବୈଧ ହିଟାଚି ଖନନ ଯୋଗୁଁ ନଦୀ ଖାଲ ହୋଇଯିବା , ସୁରକ୍ଷା ପଥରବନ୍ଧ ଭୁଶୁଡି ଚାଷଜମି କ୍ଷତିଗ୍ରସ୍ତ ହେଉଥିବା , ନଦୀ ଖାଲ ହେବା କାରଣରୁ ଉପରମୁଣ୍ଡରେ ଥିବା ଚାଷକାର୍ଯ୍ୟ ପାଇଁ ବ୍ୟବହୃତ ଆନିକଟ କେନାଳକୁ ପାଣି ଉଠୁନଥିବା ବହୁବାର ଅଭିଯୋଗ ହେଉଅଛି । ଅନ୍ୟ ପକ୍ଷରେ ନଦିପଠାରୁ ଅବିଶ୍ରାନ୍ତ ବାଲି ଚାଲାଣ ଯୋଗୁଁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଗମନାଗମନର ମାଧ୍ୟମ ମୌଳାଭଞା ପୋଲର କଂକ୍ରିଟ ବେସ୍ କ୍ଷତିଗ୍ରସ୍ତ ହୋଇଥିବା ସହ ଏହାର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ଏଥିନେଇ ଅଞ୍ଚଳବାସୀ ଚିନ୍ତିତ ଥିବା ବେଳେ ନିଜ ଭିଟାମାଟି ଓ ଜୀବିକାର ମାଧ୍ୟମ ଚାଷଜମିର ସୁରକ୍ଷା ନେଇ ପୂର୍ବ ଦିନରେ ସାନଖେମୁଣ୍ଡି ତହସିଲଦାରଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଉପଜିଲ୍ଲାପାଳ , ଗଞ୍ଜାମ ଜିଲ୍ଲାପାଳ , ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର , ରାଜସ୍ବ ସଚିବ ଏବଂ ନ୍ୟାୟ ପାଳିକାର ଦ୍ବାରସ୍ଥ ହୋଇଛନ୍ତି । ମୌଳାଭଞ୍ଜା ପୋଲର ସୁରକ୍ଷା ସହିତ ଉଭୟ ଦିଗପହଣ୍ଡି ଏନ୍ଏସି ଏବଂ ଡେଙ୍ଗାଉସ୍ତା ଅଞ୍ଚଳର ପାନୀୟ ଜଳ ଯୋଗାଣ ଉତ୍ସର ସ୍ଥାୟୀତ୍ବ ସହ ଅଞ୍ଚଳ ଅଧିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସଇରାତରୁ ବାଲି ଉଠାଣକୁ ବିରୋଧ କରୁଥିବା ଜଣା ଯାଇଅଛି ।ଏଥିନେଇ ଆଜି ଗୁରୁବାର ଅପରାହ୍ନରେ ଉଭୟ ମୌଳାଭଞ୍ଜାର ପଚାଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚ ପ୍ରତିନିଧି  ସୂର୍ଯ୍ୟ ନାରାୟଣ ଦଳବେହେରାଙ୍କ ନେତୃତ୍ବରେ ତହସିଲଦାରଙ୍କୁ ପୁଣି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ୨୦୧୮ ମସିହାରୁ ଅବୈଧ ବାଲି ଚାଲାଣ ଯୋଗୁଁ ଅଞ୍ଚଳର ପ୍ରଭୂତ କ୍ଷତି ହୋଇଅଛି । ମୌଳାଭଞ୍ଜା ପୋଲର ଉଭୟ ପଟରୁ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଦ୍ଵାରା ବାଲି ଉଠାଯାଇ ନଦୀକୁ ଇତି ମଧ୍ୟରେ ୧୫ ରୁ ୨୦ ଫୁଟ ଗଭୀର କରାଯାଇଅଛି । ଏଥି ଯୋଗୁଁ ନଦୀର ଉଭୟ ପାର୍ଶ୍ଵରେ ଥିବା ଗ୍ରାମର ପଥର ଆଡି ବନ୍ଧ ନଷ୍ଠ ହେବାସହ ଚାଷଜମି ନଦିଗର୍ଭରେ ଧସୁଥିବା , ଚାଷ ଜମିକୁ ପାଣି ମାଡୁନଥିବା , ପୋଲ ସନ୍ନିକଟ ଉଭୟ ପାର୍ଶ୍ଵ ପାନୀୟ ଜଳ ଯୋଗାଣ ଉତ୍ସ କ୍ଷତିଗ୍ରସ୍ତ ହେଉଥିବା ନେଇ ଆଲୋଚନା କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।ତହସିଲଦାର ଡ଼.ଶ୍ରୀନିବାସ ବେହେରା ଅଭିଯୋଗକାରୀ ଗ୍ରାମବାସୀଙ୍କ ସହ ଆଲୋଚନାରେ ଅନୁକୂଳ ମତ ପୋଷଣକରି ଅଭିଯୋଗପତ୍ର ଗ୍ରହଣ କରିବା ସହିତ ବିବାଦୀୟ ତଥା ସ୍ପର୍ଶକାତର ଭିତ୍ତିଭୂମିର ପରିଦର୍ଶନ କରି ପଦକ୍ଷେପ ପାଇଁ ସୁପାରିଶ କରିବାକୁ ମତ ପୋଷଣ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଅଶ୍ଵିନୀ ରଥ , ମୁନ ସାହୁ , ନୀଳମାଧବ ପଣ୍ଡା , ଗୋପୀନାଥ ସାହୁ , ସନ୍ତୋଷ ଡାକୁଆ , ଅଭି ସେଠୀ , ମନୋଜ ପାଢ଼ୀ , ଅଭିି ସାହୁ , ପ୍ରଶାନ୍ତ ଦଳବେହେରା , ସରୋଜ ସାହୁ ,କାଳୁ ଚରଣ ବେହେରା ପ୍ରମୁଖ ତହସିଲଦାରଙ୍କୁ ଘଟଣା ସମନ୍ଧରେ ତଥ୍ୟ ପ୍ରଦାନ କରି ଉଚିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

 

(ରିପୋର୍ଟ- ସାଇଦୀପ୍ ପୂଜାରୀ। )

Leave A Reply

Your email address will not be published.