ରାଇରଙ୍ଗପୁର,୨୫/୦୯(ପିପିଟି); ଗୋରୁ ମହିସାଣୀ ଲୌହ ଖଣିର ଲିଜ୍ ଗତ ମାର୍ଚ୍ଚ ମାସରେ ପଡ଼ିଥିଲା । ପୁନର୍ବାର ଉକ୍ତ ଖଣିକୁ ସେହି କମ୍ପାନୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ଲିଜ୍ ନେଇଛି । ତେବେ ନୂଆଁ ଲିଜ୍ ଆରମ୍ଭ ହୋଇଥିଲେ ହେଁ ପୂର୍ବ ଲିଜ୍ ସମୟର ଶ୍ରମିକଙ୍କ ବକେୟା ଦରମା ଏଯାଏଁ ମିଳିନାହିଁ । ଖଣି ଲିଜ୍ ସମାପ୍ତ ପୂର୍ବରୁ ସମସ୍ତଙ୍କୁ ବାକି ରହିଥିବା ଟଙ୍କା ମିଳିବ ବୋଲି ଖଣି ମାଲିକ ପ୍ରତିଶୃତି ଦେଇଥିଲେ । ହେଲେ ଅତି ବିଡ଼ମ୍ବନାର ବିଷୟ ଘଟଣାର ୩ ମାସ ବିତିଯାଇଥିଲେ ମଧ୍ୟ ଅଧିକାଂଶ ଶ୍ରମିକଙ୍କୁ ନିଜର ଅର୍ଜିତ ପ୍ରାପ୍ୟ ଧନ ମିଳିଲା ନାହିଁ । ଏବେ ଖଣି କାମ ବନ୍ଦ ଥିବାରୁ ଶହ ଶହ ଶ୍ରମିକ କାମ ଧନ୍ଦା ନ ପାଇ ହାତ ବାନ୍ଧି ବସିରହିଛନ୍ତି । ଆଜି ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁଙ୍କ ସଭାପତିତ୍ୱରେ ଗୁହାଳ ବାଙ୍ଗରୀ ପଞ୍ଚାୟତ ଭେଲଡିହ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶତାଧିକ ଶ୍ରମିକ ଯୋଗ ଦେଇଥିଲେ । ନିଜର ଅର୍ଜିତ ବକେୟା ରାଶି ଫେରସ୍ତ ସମ୍ପର୍କରେ ଆଲୋଚନା କରି ଖଣି ପରିଚାଳନା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବକେୟା ପ୍ରଦାନ ନକଲେ ଖଣି କାର୍ଯ୍ୟାଳୟ ଆଗରେ ଶତାଧିକ ଶ୍ରମିକ ଧାରଣା ଦେବେ ବୋଲି ଶ୍ରମିକ ନେତା ଶ୍ରୀ ଟୁଡୁ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ଅକ୍ଷୟ କୁମାର ବିଶ୍ବାଳ ।)