ମାଲକାନଗିରି,ତା:୧୯/୦୯(ପିପିଟି); କୋରୁକୋଣ୍ଡା ପଞ୍ଚାୟତର ମହିଳା ଆଦିବାସୀ ନାଏବ ସରପଞ୍ଚ ବାସନ୍ତୀ ପୂଜାରୀଙ୍କୁ ସହି ଗ୍ରାମର ଜଣେ ସାଧାରଣ ବର୍ଗର ଅସାମାଜିକ ଯୁବକ ତାଙ୍କ ଅଫିସ କାର୍ଯ୍ଯାଳୟରେ ପଶି ଜାତିକୁ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳି କରିବା,ଧମକେଇବା ସଂପର୍କରେ ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ମଧ୍ଯ ପୋଲସ ସେହି ଅସାମାଜିକ ବ୍ଯକ୍ତିକୁ ଗିରଫ କରିବାରେ ଅହେତୁକ ବିଳମ୍ବ ହେବା ଯୋଗୁଁ ଆଦିବାସୀ ସଂଘକୁ ମଧ୍ଯ ସହଯୋଗ କରିବା ପାଇଁ ନାଏବ ସରପଞ୍ଚ ନିବେଦନ କରିଛନ୍ତି । ଫଳରେ ଆଦିବାସୀ ସଂଘର କର୍ମକର୍ତ୍ତା ଏବ ନାଏବ ସରପଞ୍ଚ ଶ୍ରୀମତୀ ପୂଜାରୀ ଡିଏସପିଙ୍କୁ ଭେଟି ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ ଜଣାଇଛନ୍ତି । କୋରୁକୋଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ବାସନ୍ତୀ ପୂଜାରୀଙ୍କ ଅଭିଯୋଗ ଅନୁସାରେ ଗତ ତା:୧୦/୯/୨୦୨୦ ରେ ସେହି ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ୫ ଲକ୍ଷ ଟଙ୍କା ବ୍ଯୟ ଅଟ୍ଟକଳରେ ଏକ କୋଠା ନିର୍ମାଣ କରାଯାଉଥିବା ବେଳେ ଏହି କୋଠାଟି ନିମ୍ନମାନ ସାମଗ୍ରୀ ବ୍ଯବହାର କରି ନିର୍ମାଣ କରାଯାଉଥିବାରୁ ତୁରନ୍ତ ବନ୍ଦ କରିବା ଲାଗି କହିଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହେଲା ପରେ କରାଯିବ ବୋଲି କହିଥିଲେ । ମାତ୍ର ତା ୧୧ତାରିଖ ଦିନ ନାଏବ ସରପଞ୍ଚ ଶ୍ରୀମତୀ ପୂଜାରୀ ତାଙ୍କର ଅଫିସ ଚେମ୍ବରରେ ବସିଥିବା ବେଳେ ଲୋକନାଥ ସାହୁ ନାମକ ଜଣେ ବ୍ଯକ୍ତି ସେହି ପ୍ରକୋଷ୍ଠରେ ପ୍ରବେଶ କରି ଆଦିବାସୀ ଜାତିକୁ ଧରି ଗାଳିଗୁଲଜ କରି ଧମକାଇଥିଲେ ।ଜଣେ ମହିଳା ଜନ ପ୍ରତିନିଧିଙ୍କୁ ଏ ଭଳି ଅଶ୍ଲଳ ଭାଷାରେ ଗାଳି ଗୁଲଜ କରିବା ଫଳରେ ନାଏବ ସରପଞ୍ଚ ଶ୍ରୀମତୀ ପୂଜାରୀଙ୍କ ପଦ ମର୍ଯ୍ଯଦା ପ୍ରତି ସଂଘାତିକ ଅପମାନ ବୋଧଗମ୍ଯ ହୋଇଥିଲା । ଏ ସମ୍ପର୍କରେ ସେହି ପଞ୍ଚୟତର କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ମାତ୍ର କୌଣସି ସୁଫଳ ନହେବାରୁ ଶ୍ରୀମତୀ ପୂଜାରୀ ୧୩ ତାରଖରେ ମାଲକାନଗିରି ଥାନାରେ ଆସାମୀ ବିରୁଦ୍ଧରେ ଅଭିଯୋଗ କରିଥିଲେ ।ତେବେ ପୋଲିସ ଆସାମୀଙ୍କୁ ଗିରଫ କରିବାରେ ବିଳମ୍ବ ହେବାରୁ ଆଦିବାସୀ ସଂଘର କର୍ମକର୍ତ୍ତାଙ୍କ ସହ ଶ୍ରୀମତୀ ପୂଜାରୀ ମାଲକାନଗିରି ଡିଏସପିଙ୍କ ଠାରେ ଅଭିଯୋଗ ଆଗତ କରିଛନ୍ତି । ତେବେ ଆସାମୀକୁ ପୋଲିସ କେବେ ଗିରଫ କରି ନ୍ଯାୟ ପ୍ରଦାନ କରିବ ଆଗାମୀ ଦିନରେ ଜଣା ପଡିବ । ପ୍ରକାଶ ଥାଉକି ଉକ୍ତ କୋଠା ନିର୍ମାଣ କାର୍ଯ୍ଯଟି କିଛି ଯୁବକ ମିଳି ମିଶି କରୁଥିବା ବେଳେ ଏହି ଯୁବକ ମଧ୍ଯ ସେହି କାର୍ଯ୍ଯର ଅଂଶିଦାର ବୋଲି ଜଣା ପଡିଛି ।ତେବେ ପୋଲିସ ଆସାମୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)