ଭୁବନେଶ୍ବର,୧୩/୦୮(ପିପିଟି ):ମାଟିଘର ସାହିତ୍ୟ ଆସରର ଅଷ୍ଟମ ବାର୍ଷିକ ଉତ୍ସବ ସ୍ଥାନୀୟ ବି.ଏସ୍.ଏନ୍.ଏଲ୍. ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବି ମାନିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ବରେଣ୍ୟ ଅତିଥି ଭାବେ ଡଃ. ତ୍ରିପୁରା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ଡଃ.କବିତା ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାୟ ସତୁରିରୁ ଉର୍ଦ୍ଧ କବି ସ୍ବରଚିତ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ କବି କ୍ଷଣପ୍ରଭା ମହାନ୍ତି ଓ କବି ଆଶୁତୋଷ ଦାସ।
ଦ୍ୱିତୀୟ ଅଧିବେଶନରେ ଉଦ୍ଘାଟିକା ଓ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ମମତା ଦାଶ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଯୋଗଦେଇ ଆଧୁନିକ ଓଡ଼ିଆ କବିତାର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ମାଟିଘର ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଅବଦାନ ପାଇଁ ସାତଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମାଟିଘର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ କବି ମମତା ଦାଶ ଓ କବି ଡଃ ମନୋରମା ବିଶ୍ୱାଳ ମହାପାତ୍ର ଓ କବି ସୂର୍ଯ୍ୟ ମିଶ୍ରଙ୍କୁ ସାହିତ୍ୟ ପାଇଁ ,ଡଃ ପ୍ରୀତିପଦ୍ମା ପଣ୍ଡାଙ୍କୁ ଗୀତି କବିତା ପାଇଁ ,ମାନିନୀ ମିଶ୍ରଙ୍କୁ ସାମ୍ବାଦିକତା ପାଇଁ ,ଡଃ କବିତା ମହାନ୍ତିଙ୍କୁ ଓଡ଼ିଶା ମହିଳା ଭାସ୍କର୍ଯ୍ୟ ଶିଳ୍ପୀ ଓ ସୌମ୍ୟ ବିଶ୍ଵଜିତ୍ ଙ୍କୁ ଓଡିଶୀ ସଂଗୀତ ପାଇଁ ମାଟିଘର ସମ୍ନାନରେ ସମ୍ମାନିତ କରାଯାଇଥିଲା ।
ମାଟିଘର ଅନୁଷ୍ଠାନର ଉପଦେଷ୍ଟା ଶଶିଭୂଷଣ ମହାନ୍ତି ଓ ପ୍ରତିଷ୍ଠାତା ତଥା ସମ୍ପାଦିକା ଶର୍ମିଷ୍ଠା ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ସଂପାଦିତ ହୋଇଥିଲା ।