ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଚାନକ୍ ମଣ୍ଡି ପରିଦର୍ଶନ; କାର୍ଯ୍ୟରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ୍ ।

0 253

ଭଞ୍ଜନଗର, ୦୩/୦୧(ପିପିଟି):ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ କିଣା ଜାରି ରହିଛି। ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେନେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି। ଶୁକ୍ରବାର ସୁଦ୍ଧା ଭଞ୍ଜନଗର ଉପଖଣ୍ଡ ରୁ ୯୦୪୩.୯୫ କ୍ବିଣ୍ଟାଲ ଧାନ କ୍ରୟ ହୋଇଛି।ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଓ ଏଆରସିଏସ୍ ବିଜୟ କୁମାର ସାହୁ ଅଚାନକ ୫ଟି ମଣ୍ଡି ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହା ସହ ମଣ୍ଡିରେ ଉପସ୍ଥିତ ଥିବା ଚାଷୀ ମାନଙ୍କ ସହ ଧାନ କିଣା ବାବଦରେ ଆଲୋଚନା କରିଛନ୍ତି। ଉପଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ୩ଟି ମଣ୍ଡିରେ ନୋଡାଲ ଅଫିସର ଓ ୪ଟି ମଣ୍ଡିରେ କ୍ବାଲିଟି ଆନାଲିସିସ୍ ଅନୁପସ୍ଥିତ ଥିବା ଜଣାପଡିଥିଲା। ଫଳରେ ସେମାନଙ୍କୁ ଅନୁପସ୍ଥିତିର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଉପଜିଲ୍ଲାପାଳ ପ୍ରଥମେ ଭଞ୍ଜନଗର ବ୍ଲକ ଅଧିନ ବଡକୋଦଣ୍ଡା, ସାନକୋଦଣ୍ଡା ପ୍ୟାକ୍ସ ଓ ଜିଲୁଣ୍ଡି ମା’ତାରାତାରିଣୀ ଏସଏଚଜିଙ୍କ ଦ୍ବାରା ପରିଚାଳିତ ମଣ୍ଡି ପରିଦର୍ଶନ କରିଥିଲେ। ପରେ ବେଲଗୁଣ୍ଠା ବ୍ଲକ ଅଧିନ ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ପରିଦର୍ଶନ କରିଥିଲେ। ଏହି ସମୟରେ ଭଞ୍ଜନଗର ବ୍ଲକର ବଦକୋଦଣ୍ଡା ଏବଂ ବେଲଗୁଣ୍ଠା ବ୍ଲକର ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ନୋଡାଲ ଅଫିସର ଅନୁପସ୍ଥିତି ଥିଲେ। ଏହା ସହ ୪ଟି ମଣ୍ଡିରେ କ୍ବାଲିଟି ଆନାଲିସିସ୍ ମଧ୍ୟ ଅନୁପସ୍ଥିତି ଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ଅନୁପସ୍ଥିତ ଥିବା ୩ମଣ୍ଡି ନୋଡାଲ ଅଫିସର ଓ ୪ କ୍ବାଲିଟି ଆନାଲିସିସ୍ ଙ୍କୁ ଅନୁପସ୍ଥିତି ର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।ମଣ୍ଡି ପରିଦର୍ଶନ ସମୟରେ ଉଭୟ ବ୍ଲକର ତହସିଲଦାର ଓ ବ୍ଲକ ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ। ଭବିଷ୍ୟତରେ ଏପରି ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.