ମାଲକାନଗିରି, ୦୧/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଦେଶ ସ୍ବାଧୀନତା ହେବାର ଅନେକ ବର୍ଷ ପରେ ମଧ୍ଯ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆଜି ମଧ୍ଯ ଦୁର୍ନୀତି ଲୋପ ପାଇ ନାହିଁ । ଆବଶ୍ୟକତା ଠାରୁ ଅଧିକ ପ୍ରଲୋଭନ ହିଁ ଦୁର୍ନୀତିକୁ ଆଶ୍ରୟ ଦେଉଛି । ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଓ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ। ଏହି ମାନସିକତା ଜାଗ୍ରତ କରିବା ସକାଶେ ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ବୋଲି ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ମାଲକାନଗିରି ଦୁର୍ନୀତି ନିବାରଣ ଶାଖା ଉପ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପାଣି, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଓ ଦୁର୍ନୀତି ନିବାରଣ ରେଞ୍ଜ ଅଧିକାରୀ ରମେଶ ରାଉତ ମଞ୍ଚାସୀନ ଥିଲେ। ଲୋକଙ୍କର ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ଓ ସମସ୍ତେ ଏକଜୁଟ ହୋଇ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ହେବ ବୋଲି ଏହି ଅବସରରେ ଶ୍ରୀ ପାଣି ଆହ୍ଵାନ ଦେଇଥିଲେ। ଦୁର୍ନୀତି ନିବାରଣ ଶାଖା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣି ସମସ୍ତଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ମହାବିଦ୍ୟାଳୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟକୁ ପରିବେଷଣ କରଯାଇଥିଲା।ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ମାଆ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ, ଭିଜିଲାନ୍ସ କ୍ଷୀପ୍ର ଲେଖକ ନିର୍ମଳ କୁମାର ବାଘଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଭିଜିଲାନ୍ସ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)