ମାଲକାନଗିରି, ୩୧/୧୦(ପିପିଟି):ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଯୋଗ ଦେଇଥିଲେ। “ଏକ ଭାରତ, ଆତ୍ମନିର୍ଭର ଭାରତ”ର ବାର୍ତ୍ତା ନେଇ ଆୟୋଜିତ ଏହି ଏକତା ଦୌଡ଼କୁ ଅତିଥିମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ସହିତ ସମସ୍ତେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ର ର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ସହିତ ଦେଶର ଆଭ୍ୟନ୍ତରିଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ଶପଥ ପାଠ କରିଥିଲେ।ଏହି ଗଣ ଦୌଡ଼ କାର୍ଯ୍ୟକ୍ରମ କ୍ରୀଡା ପରିସରରୁ ଆରମ୍ଭ ହୋଇ କୋର୍ଟ ଛକ ପର୍ଯ୍ୟନ୍ତ ସମାସ୍ତ ହୋଇଥିଲା ।ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ୍, ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍ କିଣ୍ଡୋ ଓ ପୋଲିସ୍ ଆର୍ ଆଇ ସତ୍ୟପ୍ରିୟ ବିଶ୍ଵାଳ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ା ବିଭାଗର ପ୍ରଶିକ୍ଷକ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଆଗାମୀ ପିଢ଼ିକୁ ଏକତା ଓ ଅଖଣ୍ଡତାର ମୂଲ୍ୟବୋଧକୁ ବଜାୟ ରଖିବାକୁ ପ୍ରେରଣା ଦେବା ଲାଗି ଶପଥ ପାଠ କରାଇଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)