ଭଞ୍ଜନଗର, ୦୩/୧୦(ପିପିଟି):ଚଳିତ ବର୍ଷ ବେଶ ଆଡମ୍ବର ସହକାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ଠାରୁ ଭଷାଣି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଥିପ୍ରତି ପୋଲିସ ବିଭାଗ ଉଚିତ ପଦକ୍ଷେପ ଗ୍ରହଣ କରିଥିଲା।ସରକାରୀ ନିର୍ଦ୍ଦେଶ ପ୍ରକାରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଡ଼ିଜେ କୁ ବ୍ୟାନ କରାଯାଇ ଭଷାଣି ଉତ୍ସବରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୋଲିସ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାରୁ ଏହାକୁ ହୃଦଙ୍ଗମ କରି ବିଭିନ୍ନ ପୂଜା କମିଟି ପକ୍ଷରୁ ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ ମିଶ୍ର ଏବଂ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ପୂଜା ପୂର୍ବରୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଥାନାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।ସେଥିରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।ଉକ୍ତ ନିୟମ ପାଳନ କରିବା ପାଇଁ ପୂଜା କମିଟିକୁ ସତର୍କ କରାଯାଇଥିଲା।ଯାହା ଫଳରେ କୌଣସି ଅଘଟଣ ନଘଟି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ପ୍ରତି ମୁହୂର୍ତ୍ତରେ ଥାନା ଅଧିକାରୀଙ୍କ ସହଯୋଗ ରହିଥିଲା।ତେଣୁ ବିଭିନ୍ନ ପୂଜା କମିଟି ଓ ଜନସାଧାରଣ ଙ୍କ ପୋଲିସ ପ୍ରତି ଅତୁଟ ଭରସା ରହିଥିଲା।ଏହି କାରଣରୁ ଆଜି ବିଭିନ୍ନ ପୂଜା କମିଟି ସଦସ୍ୟ ମାନେ ଏକାଠି ହୋଇ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ।ସେଥି ମଧ୍ୟରେ ମିସାଇଲ ମେନ କ୍ଲବ ଡିହପଢାଳ, ବିନାୟକ କ୍ଲବ ବାଉଁଶଲୁଣ୍ଡି, ମଙ୍ଗଳ ମୂର୍ତ୍ତି କ୍ଲବ ମୁଜାଗଡ଼, ଲକ୍ଷ୍ମୀ ପୂଜା କମିଟି କୁଲାଡ, ଜିଲୁଣ୍ଡି ବ୍ୟତୀତ ଅନ୍ୟ ପୂଜାକମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଗ୍ରାମରେ ଏବଂ ନିକଟସ୍ଥ ଅଞ୍ଚଳ ରେ ବେଆଇନ ମଦ ଦୋକାନ ଏବଂ ଜୁଆ ଖେଳ ବନ୍ଦ କରିବା ପାଇଁ ଥାନାଧିକାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)