ବ୍ରହ୍ମପୁର,୧୦/୦୯(ପିପିଟି): ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ଯୁଗ୍ମ ଶ୍ରମ ଆୟୁକ୍ତ ବ୍ରହ୍ମପୁରଙ୍କ,କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଠିକା କର୍ମଚାରୀ ଓ ନିର୍ମାଣ କ୍ଷେତ୍ରର ଶ୍ରମିକଙ୍କୁ ସମାନ ମଜୁରୀ ଆଇନ ଅନୁଯାୟୀ ମହିଳାଙ୍କୁ ମଜୁରୀ, ଘୋଷିତ ସାମାଜିକ ନିରାପତ୍ତା, ଆବେଦନର ୩୦ଦିନ ମଧ୍ୟରେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ଓ ସହାୟତା, ୧ ରୁ ଅଧିକ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ପାଇଁ ଠୋସ ପଦକ୍ଷେପ, ପୂର୍ବରୁ ଶ୍ରମ ଜିଲ୍ଲାରେ କାମ କରୁଥିବା ଶ୍ରମିକଙ୍କ ବର୍ତ୍ତମାନ ଶ୍ରମ ଜିଲ୍ଲାକୁ ପୋର୍ଟିଂ ସହ ସମସ୍ତ ସହାୟତା ବ୍ୟବସ୍ଥା, ଶ୍ରମିକଙ୍କୁ ଖର୍ଚ୍ଚାନ୍ତ କରାଉଥିବା ଫିଜିକାଲ ଭେରିଫିକେସନ ବନ୍ଦ କରି ଅନଲାଇନ ବ୍ୟବସ୍ଥାକୁ ସମୟପୋଯୋଗୀ କରିବା,ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଓ ଆଇନଗତ ସୁରକ୍ଷା,ଶ୍ରମ ଆଇନର ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଶ୍ରମିକ ବିରୋଧି ଠିକା ଶ୍ରମ ପ୍ରଥା ରଦ୍ଦ କରିବା ଏବଂ ୪ ଟି ଶ୍ରମ ସଂହିତାର ପ୍ରତ୍ୟାହାର ଆଦି ଦାବୀରେ ଶହ ଶହ ଶ୍ରମିକ ଉପସ୍ଥିତ ରହି କ୍ଷୋଭ ପ୍ରକାଶ କରିଥିଲେ । ଗଣଧାରଣା ସ୍ଥଳରୁ ମୂଖ୍ୟମନ୍ତ୍ରୀ ଏବଂ ଶ୍ରମ ଆୟୁକ୍ତଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗଣଧାରଣାରେ ଟିୟୁସିଆଇର ରାଜ୍ୟ ସଭାପତି ବିଚିତ୍ର ପାତ୍ର, ସଂଗଠନ ସଂପାଦକ ନଲୀନିକାନ୍ତ ତ୍ରୀପାଠୀ,ଓଡିଶା ମନରେଗା ଶ୍ରମିକ ୟୁନିଅନର ନେତ୍ରୀ ପି. ପାର୍ବତୀ,ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଂପାଦକ ରାମଚନ୍ଦ୍ର ବାଡତ୍ୟା, ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ, ଆଇନଜୀବୀ ମଧୁସୂଦନ ସେଠୀ, ଆଦିବାସୀ ଭାରତ ମହାସଭା ନେତା ଟୁନା ମଲ୍ଲିକ,ନୀଳାଞ୍ଚଳ ଜାନି, ଶ୍ରୀନିବାସ ରାଓ, ସଂଗ୍ରାମୀ ଶ୍ରମିକ ୟୁନିଅନର ପି ଯୋଗେନ୍ଦ୍ର ଆଦି ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ଠିକା କର୍ମଚାରୀ ଏବଂ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶିଳ୍ପ ଶ୍ରମିକ, କୃଷି ଶ୍ରମିକ, ମନରେଗା ଶ୍ରମିକ, ଦୋକାନ ବଜାରରେ କାମ କରୁଥବା ଶ୍ରମିକ,ଗିଗ ଶ୍ରମିକ,ଘରୋଇ ସହାୟକ ଶ୍ରମିକ ଏବଂ ନିର୍ମାଣ କ୍ଷେତ୍ରର ମହିଳା ଶ୍ରମିକଙ୍କ ନିମନ୍ତେ ସର୍ବନିମ୍ନ ମଜୁରୀ ଓ ସମାନ କାମକୁ ସମାନ ମଜୁରୀ ନମିଳିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବ୍ୟାପକ କ୍ଷେତ୍ରରେ ମେସିନ ବ୍ୟବହାର ଯୋଗୁଁ ଶ୍ରମିକ କାମଧନ୍ଦା ପାଉନଥିବା ବେଳେ ରାଜ୍ୟ ସରକାର ଗତ କିଛି ବର୍ଷ ଧରି ଚୁକ୍ତି ଭିତ୍ତିକ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା ଯୋଗୁଁ ରାଜ୍ୟରେ ଠିକା ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଶ୍ରମିକମାନଙ୍କୁ ପ୍ରତିବର୍ଷ ରାଜ୍ୟ ସରକାର ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉନାହିଁ ବୋଲି ବହୁ ବକ୍ତା ଶ୍ରମବିଭାଗର ଅବହେଳାକୁ ଦୋଷ ଦେଇଥିଲେ । ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସହୟତା ପ୍ରଦାନରେ ବହୁ ଅବହେଳା କରାଯାଉଥିବା ନିର୍ମାଣ ଶ୍ରମିକମାନେ ଅଭିଯୋଗ କରିଥିଲେ । ଜଗନ୍ନାଥପ୍ରସାଦ ଉପାନ୍ତ ଅଞ୍ଚଳର ଆଦିବାସୀ ଓ ଦଳିତ ବର୍ଗର ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ପ୍ରଦାନରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଦିବାସୀ ନେତା ଟୁନା ମଲ୍ଲିକ ଘୋଷଣା କରିଥିଲେ । ସେମାନଙ୍କ ସମସ୍ୟାର ସମାଧାନ ନହେଲେ ଜଗନ୍ନାଥପ୍ରସାଦରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଜିଳ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିକ୍ଷୋଭ ଅନୁଷ୍ଠିତ ହେବ । ସେଥିପାଇଁ ଶ୍ରମ ବିଭାଗ ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି । ଏହି ଗଣଧାରଣାରେ ଧରାକୋଟ,ଆସିକା, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର,କୁକୁଡାଖଣ୍ଡି,ବୁଗୁଡା, ଜଗନ୍ନାଥପ୍ରସାଦ,ଭଞ୍ଜନଗର ଆଦି ବ୍ଳକର ଶ୍ରମିକ ସାମିଲ ହୋଇଥିଲେ । ଏ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଟୁକୁନା ଜେନା,ସଂଜୟ ସାହୁ,ଯଶୋଦା ନାଇକ,ଏନ ରାଜେଶ୍ୱରୀ ଆଦି ସହଯୋଗ ପ୍ରଦାନ କରିଥିଲେ ।