ଭଞ୍ଜନଗର, ୨୬/୦୮(ପିପିଟି ):ମୋବାଇଲ ଓ ଟେଲିଭିଜନର ବହୁଳ ବ୍ୟବହାର ଫଳରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଭଞ୍ଜନଗର ସହରରେ ଥିବା ଗଣେଶ ଟକିଜ ଓ ସନ୍ଦୀପ ହଲ୍ ୨ଟି ଯାକ ସିନେମା ହଲ୍ ବନ୍ଦ ରହିଛି।ଫଳରେ ବହୁ ଚଳଚ୍ଚିତ୍ର ପ୍ରେମୀ ଏଠାରେ ସିନେମା ଦେଖାରୁ ବଞ୍ଚିତ ଅଛନ୍ତି।କିଛି ଦର୍ଶକ ସୁଦୂର ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ଭଳି ସ୍ଥାନକୁ ଅନ୍ୟ କାମରେ ଯାଇଥିବା ବେଳେ ସମୟ ସୁଯୋଗ ଦେଖି ସେଠାରେ ଭଲ ସିନେମା ଦେଖିବାର ସୁଯୋଗ ହାତଛଡ଼ା କରୁ ନ ଥିଲେ।ହେଲେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ସିନେପ୍ରେମୀ ନିରାଶ ହେଉଥିଲେ।ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଅତ୍ୟାଧୁନିକ ହଲ୍ ରେ ବସି ସିନେମା ଦେଖିବାର ମଜା ନିଆରା।ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଭଞ୍ଜନଗର, ବାଉଁଶଲୁଣ୍ଡି ସ୍ଥିତ ବାଇପାସ ରୋଡ଼ରେ ଆର୍ ଏସ୍ ମୁଭି ନାମରେ ଏକ ସିନେମା ହଲ୍ କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭ ଉଦଘାଟନ କରିଛନ୍ତି।ଏହି ଶୀତତାପ ନିୟନ୍ତ୍ରିତ ହଲ୍ ରେ ଟିକଟ ପିଛା ମୂଲ୍ୟ ଦେଢ଼ ଶହ ଟଙ୍କା ଥିବା ବେଳେ ଏକାଥରକେ ଶହେ ଜଣ ଦର୍ଶକ ବସି ସିନେମା ଦେଖିବାର ସୁବିଧା ରହିଛି।ଅନ ଲାଇନ୍ ଯୋଗେ ଟିକଟ କାଟିବାର ମଧ୍ୟ ବ୍ୟବସ୍ଥା ରହିଛି।ବିଧାୟକ ଶ୍ରୀ ନାୟକ ଅନ୍ୟ ସାଥିମାନଙ୍କ ସହ ହଲ୍ ରେ ବସି କିଛି ସମୟ ସିନେମା ଦେଖିବାର ମଜା ଉଠାଇଥିଲେ।ଆଗାମୀ ଦିନରେ ଦର୍ଶକଙ୍କ ଚାହିଦା ମୁତାବକ ସିନେମା ପ୍ରଦର୍ଶନ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ହଲ୍ ର ମୁଖ୍ୟ ମୋହନ ସିଂ କହିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ରବୀନ୍ଦ୍ର କୁମାର ଗୌଡ଼, ବିଷ୍ଣୁ ଚରଣ ପ୍ରଧାନ, ମୁରଲୀ ଧର ପଣ୍ଡା, ଶିବ ଶଙ୍କର ମହାପାତ୍ର, ଲଷ୍ମୀ ନାରାୟଣ ପଣ୍ଡା, ଇର୍ଷାଦ ମହମ୍ମଦ, କାଳିଆ ବେହେରା,ଭବାନୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)