ଜାତୀୟ ଶିକ୍ଷକ ପୁରସ୍କାରରେ ମନୋନୀତ ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ ।

0 181

ମାଲକାନଗିରି, ୨୬/୦୮(ପିପିଟି):ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ଜାତୀୟ ସ୍ତର ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରିବା ସହ ଏହା ଆମ ଜିଲ୍ଲା ମାଲକାନଗିରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଣାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଶ୍ରୀ ରଣା ସେପ୍ଟେମ୍ୱର ୩ରେ ବିଶାଖପାଟଣାରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୫ ରେ ଗୁରୁ ଦିବସ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ରଣା ପୁରସ୍କାର ଗ୍ରହଣ କରିବେ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀରଣା କୁନି କୁନି ପିଲାଙ୍କ ନିମନ୍ତେ ଅଭିନବ ଶିକ୍ଷା ପଦ୍ଧତି ଆପଣେଇ ଥିଲେ। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀରଣା ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଓ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ । ସୂଚନା ଥାଉ କି ସମଗ୍ର ରାଜ୍ୟ ରେ କେବଳ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଶ୍ରୀରଣା ଅନ୍ୟତମ। ୩୦ଟି ଜିଲ୍ଳାର ୯୦ ଜଣ ଶିକ୍ଷକଙ୍କ ମଧ୍ୟରୁ ୬ ଜଣ ଜାତୀୟସ୍ତର ନିମନ୍ତେ ଚୟନ ହୋଇଥିଲେ। ଶ୍ରୀ ରଣା ବିଦ୍ୟାଳୟ ଭିତ୍ତିଭୂମିର ସୋନ୍ଦର୍ଯ୍ୟକରଣ ଯାହା ଶିଶୁଙ୍କ ଶୈକ୍ଷିକ ବାତାବରଣକୁ ଆହୁରି ଆକର୍ଷଣୀୟ ଓ ମନୋଲଭା କରିଥିଲା । ତତ୍ ସହିତ ଆନନ୍ଦ ଉଲ୍ଲାସରେ ଶିଶୁ ଟିଏ କିଭଳି ପାଠ ପ୍ରତି ଆକୃଷ୍ଟ ହୋଇ ପଢ଼ିବ ସେଥିପ୍ରତି ଯତ୍ନବାନ ହୋଇଥିଲେ। ତାଙ୍କର ଏହି ଅଭିନବ ଶିକ୍ଷା ପଦ୍ଧତି ପାଇଁ ୨୦୨୫ ଜାତୀୟ ଶିକ୍ଷା ପୁରସ୍କାର ସକାଶେ ମନୋନୀତ ହୋଇ ଓଡିଶା ରାଜ୍ୟ ଓ ମାଲକାନାଗିରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି।
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଶିକ୍ଷା ବିଭାଗ ଯନ୍ତ୍ରୀ ସରୋଜ ସାମନ୍ତରାୟ ଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.