ମାଲକାନଗିରି,୧୯/୦୮(ପିପିଟି):ବର୍ତ୍ତମାନ ରାଜସ୍ବ ଅମଲା ସଂଘର ଧର୍ମଘଟ ୯ ଦିନ ରେ ପହଞ୍ଚିଛି । ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଅଦ୍ୟାବଧି ଆଲୋଚନା କରି ନଥିଲା ବେଳେ ପ୍ରତ୍ଯେକ ଜିଲ୍ଲାରେ ଥିବା ରାଜସ୍ବ ଅମଲା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ଲାଗି ଧାରଣାରେ ବସିଛନ୍ତି। ଫଳରେ କିଛି କାର୍ଯ୍ୟାଳୟକୁ ଛାଡିଦେଲେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସାଧାରଣ ଲୋକମାନଙ୍କ କୌଣସି କାର୍ଯ୍ୟ ହେଉ ନଥିବା ଜଣା ପଡ଼ିଛି। ବିଶେଷ କରି ବ୍ଲକ ଏବଂ ତହସିଲଗୁଡିକ ବିଶେଷ ପ୍ରଭାବିତ ହୋଇଛି। ରାଜସ୍ୱ ଅମଲା ମାନେ ନଥିବାରୁ କାର୍ଯ୍ୟାଳୟ ଗୁଡିକ ଶୂନଶାନ ଲାଗୁଛି। ଅଫିସରମାନେ ନାମକୁ ମାତ୍ର ଆସି ପୁଣି କିଛି ସମୟ ପରେ ଚାଲି ଯାଉଛନ୍ତି। କାହିଁକି ରାଜ୍ୟ ସରକାର ଏହାର କୌଣସି ସମାଧାନ କରୁ ନାହାନ୍ତି ବୋଲି ସାଧାରଣରେ ସମାଲୋଚନା ହେଉଛି। ଏଣେ ସରକାର ଦାବି ପୂରଣ କରିବାକୁ ନଛୋଡ ବନ୍ଧା ହୋଇ ଥିବା ବେଳେ ତେଣୁ ସାଧାରଣ ଜନତା ଅଫିସ ଧାଇଁ ଧାଇଁ ହଟହଟା ହେଉଥିବା ଜଣାପଡିଛି।
ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ରାଜସ୍ବ ଅମଲା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ପ୍ରବେଶ ପଥରେ ତମ୍ବୁ ଟାଣି ସକାଳ ୧୦ ଘଟିକା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ଓଡ଼ିଶା ରାଜସ୍ୱ ଅମଲା ସଂଘ ନିଷ୍ପତ୍ତି କ୍ରମେ ଗତ ୧୧ ତାରିଖରୁ ୧୦ ଦଫା ଦାବି ପୂରଣ ଲାଗି ଧର୍ମଘଟ ଜାରି ରହିଛି। ସେଗୁଡିକ ଗୁଡ଼ିକ ହେଲା, ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲା ମାନଙ୍କ ମୂଳ ଦରମା ୨୦୧୭ ମସିହା ନିୟମ ଅନୁସାରେ ଲେବେଲ୍ ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପତ୍ର ସଂଖ୍ୟା ୬୯୮ ତା ୬.୧.୨୦୨୪ ପତ୍ର ସଂଖ୍ୟା ୭୦୮ ତା୬.୧.୨୦୨୪ ପତ୍ର ସଂଖ୍ୟା ୮୮୯୮ ତା ୧୩.୩.୨୦୨୪ ଅନୁସାରେ ଏବଂ ସମସ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି କରିବା ସହିତ ପଦବୀ ପୁନର୍ଗଠନ କରାଯାଉ । ରାଜସ୍ବ ଅମଲା ମାନଙ୍କର ରେସିଡେନ୍ସି ପିରିୟଡ଼ ୬ ବର୍ଷ ବଦଳରେ ୪ ବର୍ଷ କରାଯାଉ । ବରିଷ୍ଠ ରାଜସ୍ବ ସହାୟକ ଏବଂ ଏବଂ ଏଏସଓ ପଦବୀକୁ ଏକତ୍ରିତ କରାଯାଇ କେବଳ ଏ ଏସ୍ ଓ ରଖା ଯାଉ ଏବଂ କନିଷ୍ଠ ରାଜସ୍ବ ସହାୟକ ରୁ ୪୫ ବର୍ଷ ରେସିଡେନ୍ସି ପିରିୟଡ଼ ରଖାଯାଇ ଏ ଏସ ଓ ପଦବୀ କୁ ପଦୋନ୍ନତି କରା ଯାଉ। ରାଜ୍ୟରେ କାର୍ଯ୍ୟ ରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ ।୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀ କୁ ସଂପୂର୍ଣ୍ଣ ଉଛେଦ କରାଯାଇ ୧୯୯୦ ମସିହାରେ କରାଯାଇଥିବା ନିୟମାବଳୀକୁ ପୁନଃ ପୁନଃ ପ୍ରଚଳନ କରାଯାଇ
ମୃତ ସରକାରୀ କର୍ମଚାରୀ ପରିବାରଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତ ପ୍ରଦାନ କରାଯାଉ ।ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ବ କର୍ମଚାରୀମାନଙ୍କୁ ଓଡ଼ିଶା ରାଜସ୍ୱ ସେବା ପଦବୀ ରେ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ। ତହସିଲ କାର୍ଯ୍ୟାଳୟ ଗୁଡିକରେ ବିଭିନ୍ନ ରାଜସ୍ବ ସମ୍ବନ୍ଧୀୟ ମାମଲାକୁ ତ୍ବରାନ୍ବିତ କରିବା ପାଇଁ ସେଠାରେ କାର୍ଯ୍ୟ ରତ ରାଜସ୍ବ ସହାୟକ ମାନଙ୍କୁ
ପରିଚୟ ପତ୍ର ପ୍ରଦାନ କରାଯାଉ। ରାଜସ୍ବ ବିଭାଗ ରେ ନିଯୁକ୍ତି ପାଉଥିବା ରାଜସ୍ୱ ସହାୟକ ମାନଙ୍କୁ ତାଲିମ ପ୍ରଦାନ କରାଯାଉ। ନୂତନ ପେନସନ ଯୋଜନାକୁ ରଦ୍ଦ କରାଯାଇ ପୁରାତନ ପେନସନ ଯୋଜନା ଲାଗୁ କରାଯାଉ । ଏହି ଧର୍ମଘଟରେ ମାଲକାନଗିରି ରାଜସ୍ବ ଅମଲା ସଂଘର ସଭାପତି ସିଏଚ.ପି. କ୍ରିଷ୍ଣା ରାଓ, କାର୍ଯ୍ୟକାରୀ ସଭାପତି ନୀଳକଣ୍ଠ ଭୂମିଆ, ସଂପାଦକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ନେତୃତ୍ବ ନେଇଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)