୩୦ ହଜାର ଧାର ଟଙ୍କା ନ ଫେରାଇବାରୁ ଯୁବକକୁ ହତ୍ୟା ଅଭିଯୋଗ ।

0 223

ମାଲକାନଗିରି,୦୩/୦୮(ପିପିଟି) ;ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତର ଏମପିଭି -୧୦ ଗ୍ରାମର ଜଣେ ଯୁବକକୁ ଧାର ଟଙ୍କା ଫେରାଇବାକୁ ନେଇ ପ୍ରଥମେ ଅପହରଣ କରିବା ସହିତ ମୋଟୁ ଥାନା ଅନ୍ତର୍ଗତ ଏମପିଭି-୮୧ ଗ୍ରାମରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ଏମପିଭି-୮୧ ଗ୍ରାମର ଜଣେ ଠିକାଦାର ଏବଂ ଅନ୍ୟ ଜଣେ ତାଙ୍କର ବନ୍ଧୁ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଏମପିଭି-୧୦ ଗ୍ରାମର ନିପୁନ ମଣ୍ଡଳଙ୍କ ପୁଅ ବାପି ମଣ୍ଡଳ (୨୨) ବୋଲି ଜଣାପଡିଛି । ଘଟଣା ପରେ ମୋଟୁ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଗତ ଶୁକ୍ରବାର ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଏମପିଭି-୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଏବଂ ସେହି ଗ୍ରାମର ସୁଜିତ ରୟ ଦୁଇଜଣ ଏମପିଭି-୧୦ ଗ୍ରାମରେ ପହଁଚି ବାପି ମଣ୍ଡଳର ହାତକୁ ଏକ ଗାମୁଛା ସାହାଯ୍ୟରେ ବାନ୍ଧି ଜୋର ଜବରଦସ୍ତି ଉଠାଇ ନେବାକୁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ । ଏ ନେଇ ଠିକାଦାର ଜଣଙ୍କ କହିଥିଲେ ଯେ ବାପି କାମ କରିବ କହି ମୋ ପାଖରୁ ୩୦ ହଜାର ଟଙ୍କା ନେଇ ଆସିଛି । ଟଙ୍କା ମାଗିଲେ ଫେରାଉ ନାହିଁ । ମୁଁ ତାକୁ ମୋ ସହିତ ନେଇଯାଉଛି ଟଙ୍କା ଶୁଝିବା ପରେ ତାକୁ ଛାଡିଦେବ କହି ନିଜ ମୋଟର ସାଇକେଲରେ ବସାଇ ନେଇ ଯାଇଥିବା ବାପିର ଜେଜେବାପା ଚାଣକ୍ଯ ମଣ୍ଡଳ କହିଛନ୍ତି । ତେବେ ଶନିବାର ଦିନ ୧୧ ଘଟିକା ସମୟରେ ଠିକାଦାର ଅନନ୍ତ ହାଲଦାର ପୁଣି ଥରେ ଏମପିଭି-୧୦ ଗ୍ରାମରେ ପହଁଚି ଗାଁ ସଭାପତି ବିକାଶ ମଣ୍ଡଳଙ୍କୁ ସାକ୍ଷାତ କରି ବାପିର ଶରୀର ବହୁତ ଅସୁସ୍ଥ ଅଛି ଏବଂ ସେ ଗୁରୁତର ହୋଇ ପଡିଛି ତାଙ୍କ ଘର ଲୋକଙ୍କୁ ଜାଣଇ ଦେବା ପାଇଁ କହିଥିଲେ । ଏହାର ଏକ ଘଣ୍ଟା ପରେ ବାପିର ମୃତ୍ୟୁ ହୋଇଯାଇଚି ବୋଲି ଅନନ୍ତ ଫୋନ କରି ସଭାପତିଙ୍କୁ ଜାଣଇ ବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଠିକାଦାର ଏବଂ ତାର ସହଯୋଗୀ ବାପିକୁ ମାଡ ମାରି କୌଣସି ଉପାୟରେ ତାକୁ ହତ୍ୟା କରିଥିବା ଦର୍ଶାଇ ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅନନ୍ତ ହାଲଦାର ଏବଂ ସୁଜିତ ରାୟଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି । ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପିର କେମିତି ମୃତ୍ୟୁ ହୋଇଛି ତାହା ସଠିକ ଜଣା ପଡିନାହିଁ । ବାପି ଅସୁସ୍ଥ ଥିବା ଜାଣି ଠିକାଦାର ପରିବାର ଲୋକଙ୍କୁ ନ ଜଣାଇ ଗାଁ ସଭାପତି ଙ୍କୁ ଜଣାଇବା ଏହି ଘଟଣାରେ ଅଧିକ ସନ୍ଦେହ ପ୍ରକାଶ ପାଇଛି । ଏଥିସହ ଏମପିଭି – ୮୧ ଅଞ୍ଚଳର ଜୈନେକ କ୍ଵାକ ଡାକ୍ତର ବାପି ର ଚିକିତ୍ସା କରିଥିବା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ତବେ କିଛିଟା ଟଙ୍କା ପାଇଁ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକ ଏବଂ ଅଂଚଳବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବାପି ଦେଢ ବର୍ଷ ତଳେ ଏମଭି-୮୮ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି । ପରେ ମୃତ୍ୟୁ ରହସ୍ୟ ପରଦା ଫାଶ ହେବ ବୋଲି ମୋଟୁ ଥାନା ଏସଆଇ ଲକ୍ଷ୍ମୀଧର ଲେଙ୍କା ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Leave A Reply

Your email address will not be published.