ଦୁଇ ହାଡକୋର ମାଓବାଦୀ ଗିରଫ,ମାଓ ସାମଗ୍ରୀ ଜବତ ।

0 233

ମାଲକାନଗିରି,୧୩/୦୬(ପିପିଟି) :ମାଲକାନଗିରି ଜିଲ୍ଲା ପୋଲିସ ଦୁଇ ଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ତା ପ୍ରାପ୍ତ କରିଛି। ଏହା ବ୍ୟତିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।ସେ କହିଛନ୍ତି, ଗତ କିଛିଦିନ ଧରି ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟୁଥିବା ବେଳେ ଏଥିରେ ବହୁ ମାଓବାଦୀ ନିହତ ହୋଇଛନ୍ତି। କିଛି ମାଓବାଦୀ ଲୁଛି ରହୁଥିବା ବେଳେ ଆଉ କିଛି ମାଓବାଦୀ ନିଜର ଆତ୍ମରକ୍ଷା ପାଇଁ ପଡୋଶୀ ରାଜ୍ୟରେ ପ୍ରବେଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତିଶଗଡ଼ର କିଛି ମାଓବାଦୀ ମାଲକାନଗିରି ଜିଲାରେ ପ୍ରବେଶ କରିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଜିଲ୍ଲା ପୋଲିସ ମାଥିଲି ଥାନା ଅନ୍ତର୍ଗତ ସୋଡିଗୁଡ଼ା ଓ ତେନ୍ତୁଳିଗୁଡା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଗୁରୁବାର ଭୋର ସକାଳ ସମୟରେ କିଛି ମାଓବାଦୀ ଜଙ୍ଗଲ ମଧ୍ୟରେ ଯାଉଥିବା ଦେଖି ପୋଲିସ ତାଙ୍କର ପିଛା କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ମାଓବାଦୀମାନେ ପୋଲିସ କଥାକୁ କର୍ଣ୍ଣପାତ ନ କରି ଓଲଟା ଗୁଳି ଚଲାଇ ଥିଲେ। ଫଳରେ ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଦୁଇଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ।ଗିରଫ ଦୁଇ ମାଓବାଦୀ ଛତିଶଗଡ ବସ୍ତର ଜିଲ୍ଲାର କେସା କବାସୀ ଓ ବିଜାପୁର ଜିଲ୍ଲା ତାମୋଡ ଗ୍ରାମର ରାକେଶ ଓରଫ ସାନୁ କୁମା ବୋଲି ଜଣାପଡିଛି । ସେମାନେ ସିପିଆଇ ମାଓବାଦୀ ସଂଗଠନରେ ଏସିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ସେମାନେ ଛତିଶଗଡର ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିଲେ । ଶୁକ୍ରବାର ଦିନ ଗିରଫ କରାଯାଇ ଥିବା ୨ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌.ପି ପ୍ରକାଶ କରିଛନ୍ତି।ଜବତ ମାଓ ସାମଗ୍ରୀ ମଧ୍ୟରୁ ଏକ ପିସ୍ତଲ, ୬ଟି ଅଫୁଟା ଗୁଳି, ୧୦ ଡିଟୋନେଟର, ୧୦ ମିଟର କୋଡେକ୍ସ ତାର, ୫୦ ଗ୍ରାମ ପାଉଡର, ଗୋଟିଏ ୱ।କିଟକି, ଟର୍ଚ୍ଚ ଲାଇଟ, ରେଡିଓ, ମାଓବାଦୀ ପୁସ୍ତିକା, ଔଷଧ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.