ମାଲକାନଗିରି, ୨୫/୦୧(ପିପିଟି) :ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ଠାରେ ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ତଥା ୧୪୬ ନିର୍ବାଚନ ମଣ୍ଡଳୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଅଶୋକ ଚକ୍ରବର୍ତ୍ତୀ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଅଜୟ କୁମାର ମାଣ୍ଡାଙ୍ଗି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଆଗାମି ଦିନରେ ସମସ୍ତ ଭୋଟ ଦାତା ଭୋଟ ଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ, ଶ୍ରେଷ୍ଠ ଶିକ୍ଷଣ କ୍ଲବ୍, ଶ୍ରେଷ୍ଠ କ୍ୟାମ୍ପସ ଆମ୍ବାସଡ଼ାର୍, ଓ ୧୫ ତମ ଜାତୀୟ ମତଦାତା ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଏଥି ସହିତ ନୂତନ ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ଜାତୀୟ ମତଦାତା ଦିବସ ଶପଥ ପାଠ କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)