ବେଲଗୁଣ୍ଠା, ୨୨/୧୨(ପିପିଟି) : ଗତ ତିନି ଦିନ ହେଲା କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଯାହା ଧାନ ଚାଷୀଙ୍କ ପାଇଁ କାଳ ଭଳି ଉଭା ହୋଇଛି । ଚଳିତ ବର୍ଷ ଅନିୟମିତ ଏବଂ ନିଅଣ୍ଟିଆ ବର୍ଷା ପାଇଁ ବର୍ଷା ଉପରେ ନିର୍ଭର କରୁ୍ଥିବା ବେଲଗୁଣ୍ଠା ବ୍ଳକ୍ ରା ବହୁ ଚାଷୀ ନିଜର ଅଳ୍ପ ଅଳ୍ପ ଜମିରେ ଧାନ ଫସଲ କରି ଥିବା ବେଳେ ବହୁ ଜମି ପଡ଼ିଆ ପଡ଼ିଥିଲା । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ବ୍ଳକ୍ ର ପ୍ରାୟ ସତୁରୀ ପ୍ରତିଶତ ଚାଷୀ ଧାନ କାଟିଥିବା ବେଳେ ପ୍ରାୟ ତିରିଶ ପ୍ରତିଶତ ଧାନ କାଟିବା ଯୋଗ୍ୟ ହୋଇଥିଲେ ମଧ୍ୟ ଜମିରୁ କଟା ଯାଇପାରି ନାହିଁ । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତିନି ଦିନ ହେଲା ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କୁ ଦେଇଛି ଶକ୍ତ ଝଟକା । ଧାନ କଟା ହୋଇ ଜମିରେ ପଡ଼ିଥିବା ବେଳେ ତା ଉପରେ ବର୍ଷା ଜଳ ଜମି ଯାଇ ସେଗୁଡିକ ପଚିବାକୁ ବସିଲାଣି । କିଛି ଧାନରୁ ଗଜା ମଧ୍ୟ ବାହାରି ସାରିଲାଣି । ଲଗାଣ ବର୍ଷାରେ କଟା ହୋଇନଥିବା ଧାନ ଗଛ ମଧ୍ୟ କ୍ଷତିଗ୍ରସ୍ତ । ଅନ୍ୟପଟେ ମଣ୍ଡିର ଅବ୍ୟବସ୍ଥା ଯୋଗୁଁ ବହୁ ଚାଷୀଙ୍କ ଧାନ ଅମଳ ସରିଥିଲେ ମଧ୍ୟ ସେଗୁଡ଼ିକ ବିକ୍ରି ହୋଇ ନପାରି ଚାଷୀର ଖଳା ଏବଂ ବାରଣ୍ଡାରେ ଥୁଆ ହୋଇଛି ଯାହା ଏହି ଲଗାଣ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଛି । ଅନ୍ୟପଟେ ଚାଷୀର ଏହି ଅସମୟରେ ସରକାରଙ୍କ ଉଦାସୀନତାର ଫାଇଦା ଉଠାଇବା ପାଇଁ ଗାଆଁ ଗାଆଁରେ ଆନ୍ଧ୍ର ବେପାରୀଙ୍କ ଧାଡି଼ ଲାଗିଲାଣି । ଚାଷୀ ନିଜ ବର୍ଷକର ପରିଶ୍ରମର ଫଳକୁ ସାଇତି ରଖିବା ପାଇଁ ସ୍ଥାନ ନପାଇ ଏବଂ ମଣ୍ଡିକୁ ବିକ୍ରି କରି ନପାରି ଆନ୍ଧ୍ର ବେପାରୀଙ୍କୁ ଅଭାବୀ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛି । ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଅଠରଟି ପଂଚାୟତର ଧାନ ଚାଷୀ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ବର୍ଷକର ଭାତ ହାଣ୍ଡି ଉଜୁଡ଼ି ଯାଇଥିବାରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟପଟେ ସାର ଦୋକାନୀର ବକେୟା, ମୂଲିଆ ପାରିଶ୍ରମିକ ଏବଂ ସାହୁକାରଙ୍କ ଋଣ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରୁଛି । ତେଣୁ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ଆକଳନ କରି ସେମାନଙ୍କୁ ଉଚିତ୍ କ୍ଷତି ପୂରଣ କରିବା ସହିତ ଅମଳ ଧାନକୁ ଯଥାଶୀଘ୍ର ମଣ୍ଡି ମାଧ୍ୟମରେ ଗ୍ରହଣ କରିବା ପାଇଁ ଚାଷୀକୂଳ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେହିପରି ପ୍ରତିବର୍ଷ ଅମଳ ଧାନକୁ ବିକ୍ରୟ କରିବା ପର୍ଯ୍ଯନ୍ତ ସାଇତି ରଖିବା ପାଇଁ ଦୀର୍ଘ ମିଆଦି ସୂତ୍ରରେ ପ୍ରତି ଗ୍ରାମରେ ସାର୍ବଜନୀନ ଗୋଦାମ ଗୃହ ନିର୍ମାଣ ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା