ମାଲକାନଗିରି,୨୭/୦୮(ପିପିଟି) :ଚାକିରି କରେଇ ଦେବା ନାମରେ ମାଥିଲି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ବର ରୁ ଗିରଫ କରିଥିବା ବେଳେ ସ୍ଥାନୀୟ ମାଥିଲି ରୁ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ମାଥିଲି ଜୋନ -୩ ର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ବିଭିନ୍ନ ବିଭାଗରେ ଚାକିରି କରାଇଦେବି ବୋଲି ମିଛ ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଦେଇଥିବା ଅଭିଯୋଗ ହୋଇଛି ।ମୋର ପାଣ୍ଡିଆନଙ୍କ ଶାଳା ତଥା ସୁଜାତା କାର୍ତ୍ତିକେୟନଙ୍କ ଭାଇ ରମେଶ ଚନ୍ଦ୍ର ରାଉତଙ୍କ ସହ ଭଲ ସମ୍ପର୍କ ଅଛି । ସରକାରୀ ଚାକରି କିମ୍ଵା ଅନ୍ୟ କୌଣସି କାମ ଥିଲେ ମୁଁ କରାଇ ଦେବି ବୋଲି ଶ୍ରୀମତୀ ମାଝୀ ଲୋକଙ୍କୁ କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ଏଭଳିକି ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ବଦଳି କରାଇଦେଇ କହି ଡରାଇ ଧମକାଇ ଟଙ୍କା ଆଦାୟ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ଯେଉଁ ଦିନ ଜିଲ୍ଲା ପରିଷଦ ପଦରେ ନିର୍ବାଚିତ ହେଲେ ସେହିଦିନ ଠାରୁ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବିଷୟ ବିଜେଡି କର୍ମୀମାନେ ଅଭିଯୋଗ କରିଛନ୍ତି । ନିଜକୁ ବଡ଼ ଲୋକପାଣିଆ ଦେଖେଇ ହେବା ପାଇଁ ଏଭଳି ଟଙ୍କା ଆଦାୟ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯଥା:- ଦଶହରା, ଗଣେଶ ପୂଜା, ଭଲିବଲ ଟୁର୍ଣ୍ଣାମେଣ୍ଟ,କ୍ରୀକେଟ ଟୁର୍ଣ୍ଣାମେଣ୍ଟ, ଗାଁ ଗାଁରେ ପାଳନ ହେଉଥିବା ପର୍ବପର୍ବାଣିରେ ମଧ୍ୟ ହଜାର ହଜାର ଟଙ୍କା ଚାନ୍ଦା ଦେଇ ମୁଖ୍ୟ ଅଥିତି ହେଉଥିଲେ । ଗତ ବର୍ଷ ମାଥିଲି ଦଶହରାରେ ଦୁଇ ଲକ୍ଷ ଟଙ୍କା, ଗଣେଶ ପୂଜାରେ ଲକ୍ଷାଧିକ ଟଙ୍କା, କାଳୀ ପୂଜାରେ ପଚାଶ ହଜାର ଟଙ୍କା ଏଭଳି ଅନେକ ଚାନ୍ଦା ଦିଅନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଇ -ବାଇକ ଯୋଗାଇବା ଦେବା ପାଇଁ ସରକାରଙ୍କ ଟେଣ୍ଡର ଅନୁମତି ପ୍ରଦନ କରାଇଦେବି । ତୁମେ ସୁଜାତା କାର୍ତ୍ତିକେୟାନଙ୍କ ଭାଇ ତଥା ପାଣ୍ଡିଆନଙ୍କ ଶଳା ରମେଶ ରାଉତଙ୍କ ନାମରେ ଥିବା ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଦେବା ପାଇଁ ମାଥିଲିର ସୁନା ବ୍ୟବସାୟୀ କାର୍ତ୍ତିକ ରାୟଙ୍କୁ ଶ୍ରୀମତୀ ମାଝୀ କହିଥିଲେ । ତାଙ୍କ କଥାରେ ବିଶ୍ୱାସ କରି କାର୍ତ୍ତିକ ରାୟ ବିଭିନ୍ନ ସମୟରେ ୨୬ ଲକ୍ଷ ୨୦ ହଜାର ଟଙ୍କା ପଠାଇଥିଲେ । ବିଜେଡି ସରକାର ଥିବା ସମୟରେ କିଛି କାମ ନ ହେବାରୁ ରାୟଙ୍କୁ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ କରିବା ପାଇଁ ଶ୍ରୀମତୀ ମାଝିଙ୍କୁ ବାରମ୍ବାର କହିବା ସତ୍ତ୍ୱେ ବି ଟଙ୍କା ଫେରସ୍ତ କରିବା ବଦଳରେ ରାୟଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଶେଷରେ କୌଣସି ଉପାୟ ନ ପାଇଁ ରାୟ ମାଥିଲି ଥାନାରେ ଶ୍ରୀମତୀ ମାଝିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେହିଭଳି ମାଥିଲିର ରବି ପୁହାଣଙ୍କ ପୁଅଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚାକିରି କରାଇଦେବି କହି ରମେଶ ରାଉତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଏବଂ ଶ୍ରୀମତୀ ମାଝିଙ୍କୁ ନଗଦ ଟଙ୍କା ଆକାରରେ ସମୁଦାୟ ୭ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି । ଶ୍ରୀ ପୁହାଣ ମଧ୍ୟ ଶ୍ରୀମତୀ ମାଝିଙ୍କ ବିରୋଧରେମାଥିଲି ଥାନାରେ ଅଭିଯୋଗ କରିଥିଲେ। ମାଥିଲି ଥାନାରେ ତା ୧୯/୮/ ୨୦୨୪ କେସ ନମ୍ବର ୧୬୬/୨୪ ରେ ମମଲା ରୁଜୁ ହୋଇଛି । ସେହିଭଳି ମାଥିଲି ବ୍ଲକ ବିଜେଡିର ଆଗ ଧାଡ଼ିର ନେତା ବୋଲାଉଥିବା ଜୀବନ ସାହୁ ଯୋଗାଣ ଅଧିକାରୀ ଚାକିରି କରାଇଦେବି କହି ମାଥିଲିର ହରେଶ ନାମକ ଯୁବକଙ୍କ ଠାରୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ବିଷୟ ମାଥିଲି ଥାନାରେ ଅଭିଯୋଗ ହୋଇଛି । ଶୁଣିବାକୁ ମିଳୁଛି ମାଥିଲି ବ୍ୟତୀତ ପାଙ୍ଗାମ, ଆମଗୁଡା, ଦୁରାଗୁଡା ଏଭଳିକି ରାୟଗଡା, ସେମିଲିଗୁଡାର ଲୋକଙ୍କ ଠାରୁ ମଧ୍ୟ ଠକି ନେଇଥିବା ସାଧାରଣ ରେ ଚର୍ଚ୍ଚା ହୋଉଛି। ବିଜେଡି ସରକାର ପରିବର୍ତ୍ତନ ହେବା ପରେ ଠକାମିର ଶିକାର ହୋଇଥିବା ଲୋକମାନଙ୍କୁ ଭୁଆଁ ବୁଲାଇ ଏମାନେ ଧରା ଛୁଆଁ ଦେଉ ନ ଥିଲା ବେଳେ ଶେଷରେ ବାଧ୍ୟ ହୋଇ କେସ ରୁଜୁ କରିବା ପରେ ମୁଖ୍ୟ ଆସାମୀ ପାଣ୍ଡିଆନଙ୍କ ଶଳା ତଥା ସୁଜାତା କାର୍ତ୍ତିକେୟାନଙ୍କ ଭାଇ ବୋଲି ନକଲି ପରିଚୟ ଦେଇଥିବା ରମେଶ ରାଉତକୁ ମାଥିଲି ପୋଲିସ ଖୋଜିଥିଲା । କିଛି ଦିନ ତଳେ ମାଥିଲି ପୋଲିସ ଭୁବନେଶ୍ୱରରେ ପାଞ୍ଚ ଛଅ ଦିନ ଡେରା ପକାଇ ଖୋଜିଥିଲେ ବି ଧରା ପଡି ନ ଥିଲା । ଧରା ପଡିବା ଭୟରେ ରାଉତ ସମୟ ସମୟରେ ସ୍ଥାନ ଓ ମୋବାଇଲ ନମ୍ବର ପରିବର୍ତ୍ତନ କରି ଲୁଚି ବୁଲୁଥିଲା ଓ ମୋବାଇଲ ବନ୍ଦ କରି ରଖୁଥିଲା । ମୋବାଇଲ ଟ୍ରାକ କରି ଗତ ୨୩ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଳକାଟି ଫାଣ୍ଡି ଅଧିନସ୍ଥ ଜଗନ୍ନାଥ କଲୋନୀରେ ରହୁଥିବା ଜାଣି ପାରି ମାଥିଲି ପୋଲିସ ରାଉତକୁ ଗିରଫ କରି ମାଥିଲି ଆଣିଥିଲାରେ ସକ୍ଷମ ହୋଇଥିଲା । ରବିବାର ଦିନ ଅଭିଯୁକ୍ତ ରମେଶ ରାଉତକୁ ଜେଲ ହାଜତକୁ ପଠାଇଥିବା ଜଣାପଡିଛି । ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ଅଛନ୍ତି । ଫେରାର ଆସାମୀଙ୍କୁ ମାଥିଲି ପୋଲିସ ଖୋଜୁଛି । ଅନେକ ଯୁବକ ଓ ଅବିଭାବକ ଏମାନଙ୍କ କଥାରେ ପଡି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ବଜାର ଘାଟରେ ଆଲୋଚନା ହେଉଛି ଓ ନିଜେ କହୁଛନ୍ତି ମଧ୍ୟ । କିନ୍ତୁ କେସ କରି ଝାମେଲାରେ ଫସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏ ଭଳି ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)