ମାଲକାନଗିରି,୧୧/୦୪(ପିପିଟି) :ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ତିନିଗୋଟି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ବିଜୟ ଲାଗି ଅଙ୍କ କଷା ଚାଲିଛି। ଆଗାମୀ ୧୩ ତାରିଖ ରେ ମତଦାନ ସାବ୍ୟସ୍ତ ହେବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସତ୍ବେ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ଦେବା ପାଇଁ ନିଜ ସପକ୍ଷରେ ପ୍ରଚାର ପ୍ରସାର କରିଛନ୍ତି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୁଖ ତିନି ଗୋଟି ଦଳ ମଧ୍ୟରେ ଚଢ଼େଇ ହେବାକୁ ଯାଉଥିବାବେଳେ ସେମାନେ ହେଲେ ବିଜେଡ଼ିରୁ ମାନସ ମାଡକାମୀ, କଂଗ୍ରେସରୁ ମାଲା ମାଡି ଓ ବିଜେପିରୁ ନରସିଂହ ମାଡକମୀ ।
ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ମାନସ ମାଡକାମୀ ୨୦୧୪ ନିର୍ବାଚନ ରେ ବିଜେଡିରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ। ସେତେବେଳେ କଂଗ୍ରେସ ଦଳରୁ ମାଲା ମାଡି ପ୍ରତିଦ୍ବନ୍ଦିତା କରୁଥିଲା ବେଳେ ମାନସ ମାଡକାମୀ ଙ୍କୁ ୪୭,୭୩୭ ଖଣ୍ଡ ଭୋଟ ମିଳିଥିଲା। ମାତ୍ର ୩,୩୧୨ ଖଣ୍ଡ ଭୋଟ ବ୍ୟବଧାନରେ ମାନସ ମାଡକାମୀ ବିଜୟ ଲାଭ କରିଥିଲା ବେଳେ ମାଲା ମାଡିଙ୍କୁ ୪୪,୪୨୫ ଖଣ୍ଡ ଭୋଟ ପ୍ରାପ୍ତ ହୋଇ ଥିଲା । ତେବେ ୨୦୧୯ ନିର୍ବାଚନ ରେ ବିଜେଡି ସୁପ୍ରିମୋ ମାନସ ମାଡକାମୀ ଙ୍କୁ ଟିକେଟ ନ ଦେଇ ତରବରିଆ ଭାବେ ନିଷ୍ପତ୍ତି ନେଇ ମୁକୁନ୍ଦ ସୋଡିଙ୍କୁ ଟିକେଟ ଦେଇ ଥିଲେ । ମାତ୍ର ମୁକୁନ୍ଦ ସୋଡି ୪୧,୬୬୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାସ୍ତ ହୋଇଥିଲେ। ଏହି ଆସନଟି ନବୀନ ପଟ୍ଟନାୟକଙ୍କ ହାୱା ସତ୍ବେ ବିଜେଡି ପରଜୟ ର ସମ୍ମୁଖୀନ ହୋଇଥିଲା । ଏହାର ଏକମାତ୍ର କାରଣ ବିଜେଡି ର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ।ଫଳରେ ବିଜେପି ରୁ ଆଦିତ୍ୟ ମାଡି ୭୦,୨୬୩ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ। ସେ ୨୫,୫୬୯ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ମାଲା ମାଢିକୁ ପରାସ୍ତ କରିଥିଲେ। ମାଲା ମାଡି ୪୪,୬୯୪ ଖଣ୍ଡ ଭୋଟ ପାଇ ୨ ୟ ସ୍ଥାନରେ ରହିଥିଲେ ।
ବର୍ତ୍ତମାନ ଆଦିତ୍ୟ ମାଡି ଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ନୂଆ ଚେହେରା ଭାବେ ନରସିଂହ ମାଡକାମୀଙ୍କୁ ବିଜେପି ଟିକେଟ ଘୋଷଣା କରିଛି। କିନ୍ତୁ ଟିକେଟ ଦେବା ପାଇଁ ବିଜେପି ଭରସା ଦେବା ଫଳରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଶେଷ ମୁହୂର୍ତ୍ତରେ ଦଳ ବଦଳଇ ବିଜେପି ରେ ମିଶିଥିଲେ । ମାତ୍ର ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଯଦି ବିଜେପି ରୁ ମୁକୁନ୍ଦ ସୋଡି ଟିକେଟ ପାଇଥାନ୍ତେ , ତେବେ କଡ଼ା ଟକ୍କର ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିଜେପିରେ ସାମିଲ ହୋଇଥିବା ମୁକୁନ୍ଦ ସୋଡି ବିଜେପି ପାଇଁ ଅଲୋଡା ହୋଇ ଥିବା ଆଲୋଚନା ହେଉଛି। ଫଳେ ମୁକୁନ୍ଦ ସୋଡି ଙ୍କ ସମର୍ଥକ ମାନେ କଂଗ୍ରେସ କୁ ଭୋଟ ଦେବାର ସମ୍ଭାବନା ରହିଛି। ବିଜେପି ରେ ଫାଟ ଯୋଗୁଁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନାକୁ ଏଡାଇ ହେବ ନାହିଁ।
ସେହି ପରି ବିଜେଡିର ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପରେ ଭରସା କରି ପୁନଶ୍ଚ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ଦେଇଛନ୍ତି। ୨୦୧୯ ରେ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ ଥିବା ରୁ ମାନସ ମାଡକାମୀ ଙ୍କ ଟିକେଟ କଟିଥିଲା। ମୁକୁନ୍ଦ ସୋଡିଙ୍କୁ ବିଜେଡି ଟିକେଟ ଦେଇଥିଲା ବେଳେ ୨୦୧୯ ରେ ସେ ଶୋଚନୀୟ ଭାବେ ପରାସ୍ତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନ ରେ
କଂଗ୍ରେସ ଦଳ ତୃତୀୟ ଥର ଲାଗି ମାମଲା ମାଡିଙ୍କ ଉପରେ ଭରସା ରଖି ଟିକେଟ ଦେଇଛି । ସେହି ପୁରୁଣା ମୁହଁ, ପୁରୁଣା ଚେହେରା।ସେ ପୂର୍ବରୁ କାଲିମେଳା ବ୍ଲକ ଚେୟାରମେନ ଥିଲେ ଓ ତାଙ୍କର ଲୋକପ୍ରିୟତା ରହିଛି।ସେ କେବେ ବି ଦଳ ବଦଳ ନକରି କଂଗ୍ରେସ ଦଳରେ ପଡି ରହିଛନ୍ତି। ମାଲା ମାଡି ୨୦୧୪ ନିର୍ବାଚନରେ ୪୪,୪୨୫ ଭୋଟ ପାଇ ଥିଲେ ବେଳେ ୨୦୧୯ ନିର୍ବାଚନ ରେ ୪୪,୬୯୪ ଭୋଟ ପାଇ ସ୍ଥିତକୁ ଅପରିବର୍ତ୍ତିତ ରଖିଛନ୍ତି। ଏଥର ତୃତୀୟ ଥର ଲାଗି ନିର୍ବାଚନ ଲଢ଼ୁଥିବା ଯୋଗୁଁ ସିମ୍ପାଥି ଭୋଟ ପାଇ ବିଜୟ ହେବାର ଆଶା ରଖିଛି କଂଗ୍ରେସ।ଏଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀଟା ବିଜେପି ଦୁର୍ଗ ହୋଇଥିବା ବେଳେ ନରସିଂହ ମାଡକାମୀ ଜଣେ ନୂତନ ଚେହେରା। ତାଙ୍କ ବହୁତ ଲୋକ ଜାଣି ନାହାଁନ୍ତି। ଏହି ନିକଟରେ
ବିଜେପି ଭୋଟ ହାତେଇବାକୁ ଯାଇ ଆସାମ ମୁଖ୍ୟ ମନ୍ତ୍ରୀ ଆଣି
ନିର୍ବାଚନୀ ସଭା କରି ଥିଲେ ମଧ୍ୟ ବେଙ୍ଗଲୀ ଭୋଟ ବିଜେପି ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।ପ୍ରାୟ ବେଙ୍ଗଲୀ ଭୋଟ ବିଜେପି କୁ ୭୦ ପ୍ରତିଶତ ଯିବାର ସମ୍ଭାବନା ରହିଥିବା ବେଳେ ବିଜେଡି କୁ ୨୦ ଓ କଂଗ୍ରେସ କୁ ୧୦ ପ୍ରତିଶତ ଭୋଟ ଯାଇ ପାରେ ବୋଲି ପୂର୍ବାନୁମାନ କରା ଯାଉଛି।ପ୍ରାୟ ୬୦ ପ୍ରତିଶତ ଆଦିବାସୀଙ୍କ ଭୋଟ ଏଥର କଂଗ୍ରେସ ଦଳ ହାତେଇବାର ସମ୍ଭବନା ରହିଛି ।ଏହାର ଅନ୍ଯ ଏକ କାରଣ ହେଲା ବିଜେଡି ମଧ୍ୟରେ ପୂର୍ବାପେକ୍ଷା ଫାଟ ରହିଛି।ବହୁ ପୁରୁଖା ଓ ପୁରୁଣା ବିଜେଡି କର୍ମୀମାନଙ୍କୁ ଅଣ ଦେଖା କରାଯାଇଛି।
ତେବେ ବିଜେଡି ର ଗୋଷ୍ଠୀ ବିଭାଜନ ଯୋଗୁଁ ଏହାର ଫାଇଦା କଂଗ୍ରେସ ଉଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଅନ୍ଯ ପକ୍ଷରେ ଯଦି ଭିକେ ପାଣ୍ଡିଆନଙ୍କ ପ୍ରଚାର ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମାଲକାନଗିରି କୁ ପ୍ରଚାର କରିବା ପାଇଁ ଆସିଥାନ୍ତେ , ତାହେଲେ ବିଜେଡି ଜିତିବା ସମ୍ଭାବନା ଅଧିକ
ରହିଥିନ୍ତା । ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ କଢ଼ା ମୁକାବିଲା ହେବାର ପୂର୍ବାନୁମାନ କରାଯାଉଛି । ଏବଂ କଂଗ୍ରେସ ହାୱା ଅଧିକ ରହିଥିବା ବିଭିନ୍ନ ଭୋଟରମାନ ଠାରୁ ସର୍ଭେ ରିପୋର୍ଟ ରୁ ଜଣାପଡ଼ୁଛି।
ତେବେ ଆଗାମୀ ୨୦୨୪ ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ମତଦାତା ମାନେ କାହା ଉପରେ ଭରସା କରି ମଥାରେ ବିଜୟ ତୀଳକ ପିନ୍ଧାଇବେ ଭବିଷ୍ୟତରେ ଜଣାପଡ଼ିବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)