ମାଲକାନଗିରି ,୨୬/୦୪(ପିପିଟି) :ମାଲକାନଗିରି ଜିଲ୍ଲା ସଦର ମହକୁମା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶାର ବରପୁତ୍ର ତଥା ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ତମ ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମିଳିତ ଭାବେ ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରା ଯାଇଥିଲ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଭୋଇ, ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନନ୍ଦ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ମାଝୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବାଲାରାଜୁ ପାଢି, ପଲିଟେକନିକ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଓଡିଶାର ବରପୁତ୍ର ତଥା ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା, ଓଡିଆ ଭାଷାକୁ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବାରେ ପାରଳା ମହାରାଜାଙ୍କ ଅବଦାନ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସପ୍ତାହକୁ ଥରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡିଶାର ମହାପୁରୁଷମାନଙ୍କ ସମ୍ବନ୍ଧରେ ବକ୍ତୃତା ପ୍ରତିଯୋଗିତା କରାଯିବା ସହ ଓଡିଶାର ଇତିହାସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ, ଓଡିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଯେଉମାନଙ୍କ ଅବଦାନ ଥିଲା ସେମାନଙ୍କ ସମ୍ବନ୍ଧରେ ଆଗାମୀ ପିଢି ସେହି ମହାପୁରୁଷ ମାନଙ୍କୁ ଯେପରି ମନେ ରଖିବେ ବକ୍ତୃତାର ବିଷୟବସ୍ତୁ ଉପରେ ଆଲୋକପାତ କରାଯିବ । ଯଦ୍ୱାରା ଆଗାମୀ ପିଢି ଓଡିଶାର ଇତିହାସ, ମହାପୁରୁଷମାନଙ୍କ ଅବଦାନକୁ ମାନେ ରଖିବେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ସ୍ମରଣ କରିଥିଲେ । ଶେଷରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଉପଦେଷ୍ଟା ରବିନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)