ନିହତ ନକ୍ସଲଙ୍କ ପରିଚୟ ଦେଲେ ନକ୍ସଲ ସଂଗଠନ ।

0 284

ମାଲକାନଗିରି ,୧୯/୦୪(ପିପିଟି) : ଦୁଇ ଦିନ ତଳେ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛଟିବେଠିଆ ଥାନା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରକୁ ନେଇ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରତିକ୍ରିୟା ରଖିଛି ନକ୍ସଲ ସଂଗଠନ । ଏହି ଏନ୍‌କାଉଣ୍ଟରରେ ମୋଟ ୨୯ ଜଣ ନକ୍ସଲ ପ୍ରାଣ ହରାଇଥିଲା ବେଳେ ସମସ୍ତଙ୍କୁ ନିଜ ସଦସ୍ୟ ବୋଲି ସଂଗଠନ ପକ୍ଷରୁ ସ୍ଵୀକାର କରାଯାଇଛି। ସେହିପରି ସଂଗଠନ ପକ୍ଷରୁ ନିହତ ନକ୍ସଲଙ୍କ ପରିଚୟ ବି ପ୍ରଦାନ କରାଯାଇଛି। ସେମାନେ ହେଲେ କମ୍ରେଡ୍ ଡିବିସିଏମ୍ ଶଙ୍କର, ବାଦରୁ, ଅନିତା, ବିନୋଦ, ରିତା, ରମେଶ, ବଚନୁ, ସୁରେଖା, କବିତା, ରାଜିତ, ଭୁମେ, କାର୍ତ୍ତିକ, ରୋଶନ, ଦେବାଲ, ଦିନୁ, ଅନ୍ବେଷ, ଜନିଲା, ସାଜିଲା, ଗୀତ, ରାଜୁ, ସମିଲା, ସୁନିଲା, ସନ୍ତିଲା, ପିଣ୍ଡ, ବଜନାତ, ସିଲା ଓ ଜେନି। ଦୁଇ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମାଓ ସଂଗଠନ ବି ପାଇନାହିଁ। ତେଣୁ ୨୭ଜଣଙ୍କ ପରିଚୟ ଗଣମାଧ୍ୟମକୁ ଦିଆଯାଇଛି। ଆଗାମୀ ଦିନରେ ଗୁଳି ବିନିମୟର ସମସ୍ତ ବିବରଣୀ ପ୍ରଦାନ କରା‌ଯିବ ବୋଲି ସଂଗଠନ ପ୍ରକାଶ କରିଛି । ବିଏସ୍ଏଫ ଯବାନ ପକ୍ଷରୁ କୁମ୍ବିଂ ଅଭିଯାନ ଜୋର୍‌ଦାର କରାଯାଇଛି। ସୀମା ସିଲ୍ କରାଯିବା ସହ ହାଇଆଲର୍ଟ ଜାରି କରାଯାଇଛି। ମାଲକାନଗିରି ଏସ୍‌ପି ନୀତୀଶ ୱାଧୱାନୀଙ୍କ କହିବା ଅନୁଯାୟୀ ଜିଲ୍ଲାର ୧୬ଟି ସ୍ଥାନରେ ଅପରେସନ ତ୍ବରାନ୍ବିତ କରାଯାଇଛି। ଚାରିଟି ଟିମ୍‌କୁ ପ୍ରସ୍ତୁତ କରି ରଖାଯାଇଛି। କୌଣସି ସମୟରେ ଦରକାର ପଡ଼ିଲେ ଏହି ଟିମ୍ ଘଟଣା ସ୍ଥଲକୁ ଯିବେ । ଜିଲ୍ଲାର ଚାରିଟି ଯିବାଆସିବା ପଥରେ ୨୪ଘଣ୍ଟିଆ ପୋଲିସ ପଇଁତରା ମାରୁଛି। ଅଜଣା ବ୍ୟକ୍ତିଙ୍କୁ ପଚରାଉଚରା ସହ ଯାନବାହନକୁ କଡାକଡି ଯାଞ୍ଚ କରାଯାଉଛି। ସୀମାରେ ହାଇଟେକ୍ ଡ୍ରୋନ୍ ବୁଲୁଛି। ନକ୍ସଲଙ୍କ ଗତିବିଧ‌ି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଚଢ଼ଉ କରାଯିବ ବୋଲି ପୋଲିସ କହିଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଛତିଶଗଡ଼ ସରକାର ଏବଂ ପ୍ରଶାସନ ଦିନରାତି ଏକ କରି ଦେଇଛନ୍ତି। ଦୁଇଦିନ ତଳେ ଏନ ଏନକାଉଣ୍ଟର କରି ନକ୍ସଲଙ୍କୁ ବ୍ୟାକଫୁଟ୍‌କୁ ଠେଲି ଦେଇଛନ୍ତି ଯବାନ ମାନେ। ନକ୍ସଲମାନେ ବର୍ତ୍ତମାନ ପ୍ରତିଶୋଧ ପରାୟଣ ଅବସ୍ଥାରେ ହିଛନ୍ତି । ସୁଯୋଗ ପାଇଲେ ଆକ୍ରମଣର ସମ୍ଭାବନା ରହିଥିବା ପୋଲିସ ପ୍ରକାଶ କରିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ରହିବା ସହ ଲୋକଙ୍କ ସହଯୋଗ ଲୋଡ଼ିଛି। ମାଲକାନଗିରି କୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମା ଲାଗିଥିବାରୁ ଏତେବଡ଼ ସୀମାକୁ ପୋଲିସ ଜଗିବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇଛି ମାଲକାନଗିରି ଜିଲ୍ଲା ପୋଲିସ । ଜିଲ୍ଲାରେ ନକ୍ସଲ ପଶିବା ଅସମ୍ଭବ ବୋଲି ପୋଲିସ କହିଛି। ପୋଲିସ ସୂଚନାଦାତା ଗାଁ ଗାଁରେ ସୂଚନା ସଂଗ୍ରହ କରୁଛନ୍ତି। ଏସ୍‌ପି ଶ୍ରୀ ୱାଧୱାନୀ ନିଜେ କଣ୍ଟ୍ରୋଲ ରୁମ୍‌ରେ ବସି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ଜଣାପଡିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.