ମାଲକାନଗିରି ,୧୨/୦୪(ପିପିଟି) : କେଉଁ ଅନାଦି କାଳରୁ ଆଦିବାସୀ ସଂସ୍କୃତିର ଏକ ଋତୁ ଭିତ୍ତିକ ପର୍ବ ଭାବେ ଚଇତି ପରବର ସ୍ଵାତନ୍ତ୍ରତା ସ୍ଥାନ ଅଧିକାର କରିଆସିଛି । ନୂଆ ଜହ୍ନ ଉଇଁବା ସହ ପ୍ରତି ଗାଁରେ ପରବ ପାଳିବାର ପ୍ରାଥମିକ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇଯାଇ ଥାଏ । ପରମ୍ପରା ଅନୁସାରେ ପରବ, ବେଣ୍ଟ ବା ଶିକାର ଏହି ପରବର ଅନ୍ୟ ଏକ ଆକର୍ଷଣ | ଜଙ୍ଗଲ ଅଭାବରୁ ବାର୍ତ୍ତମାନ ଶିକାର ଏକ ଔପଚାରିକତା ହୋଇ ରହିଯାଇଛି। ତଥାପି ସାରା ରାତି ବେଣ୍ଟ ଯାତ୍ରା ପାଳିବାରେ ଆଦିବାସୀ ସଂପ୍ରଦାୟର ଅଧିବାସୀ ମାନେ ପଛଘୁଞ୍ଚା ଦେଇନାହାନ୍ତି । ମାଲକାନଗିରି ଜିଲ୍ଲାର ସମସ୍ତ ଦେବଦେବୀଙ୍କ ପୀଠରେ ଚଇତି ପରବ ଉତ୍ସାହ ଓ ଉଦ୍ଦିପନାର ସହ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ଦେବଦେବୀଙ୍କ ପୀଠରେ ହଜାର ହଜାର ଭକ୍ତ ବଳି ଦେଉଥିବା ଦେଖିବାକୁ ମଧ୍ୟ ମିଳୁଛି। ଦିଶାରୀଙ୍କ ପରାମର୍ଶ ଅନୁଯାୟୀ ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଚଇତି ପରବ ପାଳନ କରାଯାଇ ଥାଏ । ସେହିପରି ପ୍ରତି ଗାଁ ଛକରେ ମହିଳାମାନେ ପାଜର ମଗୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକୁ କେହିବି ପ୍ରତ୍ୟାଖ୍ୟାନ କରିପାରନ୍ତି ନାହିଁ । ପରମ୍ପରା ଅନୁସାରେ ଆଦିବାସୀ ମହିଳାଙ୍କୁ ପାଜର (ଟଙ୍କା) ଦେବାକୁ ବାଧ୍ୟ ହୋଇଥାନ୍ତି । ମହିଳାମାନେ ଯାହା ଟଙ୍କା ଆଦାୟ କରିଥାନ୍ତି, ପୁରୁଷମାନେ ବେଣ୍ଟ ଶିକାର କରି ଯାହା ଆଣନ୍ତି ତାକୁ ନେଇ ଗାଁରେ ବିରାଟ ଭୋଜିର ଆୟୋଜନ କରା ଯାଇଥାଏ । ତା ପୂର୍ବରୁ ନିଜର ଗାଁ ଠାକୁରାଣୀଙ୍କ ନିକଟରେ ଆମ୍ବକୁ ନୂଆ ହାଣ୍ଡି ରେ ରୋଷେଇ କରାଯାଇଥାଏ । ଏହାକୁ ଚଇତି ପରବ ବା ଆମ୍ବା ପର୍ବ ବୋଲି କୁହାଯାଇଥାଏ। ଏହି ଚଇତି ପରବ ସମସ୍ତ ଆଦିବାସୀ ସଂପ୍ରଦାୟର ଲୋକମାନେ ଗାଁ ଗାଁ ରେ ପାଳନ କରିଥାନ୍ତି। ଆରମ୍ଭରୁ ଶେଷ ଯାଏ କୌଣସି କାର୍ଯ୍ୟ ନକରିବାକୁ ନିୟମ ଥିବାରୁ ପୂର୍ବରୁ ହିଁ ଘରଦ୍ଵାର ଲିପାପୋଛା, ନୂଆ ଲୁଗା କିଣା, ପୂଜା ପାଇଁ ସାମଗ୍ରୀ ଯୋଗାଡ଼ ଜୋରସୋରରେ ଚାଲିଥାଏ | ଆଦିବାସୀ ଗ୍ରାହକଙ୍କ ହାଟ ମାନଙ୍କରେ ଭିଡ ଦେଖିବାକୁ ମିଳିଥାଏ | ପରବ ଆରମ୍ଭ ହେବା କ୍ଷଣି ନିଜ ଗ୍ରାମଦେବୀ ବା ହୁଣ୍ଡି ଠାକୁରାଣୀଙ୍କ ନିକଟରେ ବିଧି ଅନୁସାରେ ପୂଜା ଆରମ୍ଭ ହୁଏ ।ଆମ୍ବ ରନ୍ଧନ କରାଯାଇ ଠାକୁରାଣୀ ନିକଟରେ ଭୋଗ ଲାଗି ହେଲା ପରେ ଆଦିବାସୀ ସଂପ୍ରଦାୟର ଲୋକମାନେ ଆମ୍ବକୁ ଖାଇଥାନ୍ତି। ଏହି ଅବସରରେ ନାଚଗୀତର ମଧ୍ୟ ଆସର ଜମେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)