ମାଲକାନଗିରି ,୨୭/୦୩(ପିପିଟି) : ଚଳିତ ସାଧାରଣ ନିର୍ବାଚନରେ ସୁବିଧା ଆପ୍ ର ବ୍ୟବହାର କରାଯାଉଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀଙ୍କୁ ଏହି ଆପ୍ ଏବଂ ଏନକୋର ପରିମିସନ ମଡ୍ୟୁଲ ବ୍ୟବହାର ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ସୁବିଧା ଆପ୍ ତାଲିମ ଅନୁଷ୍ଠିତ ହୋଇଥିଲା। ତାଲିମ ଶିବିରରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଏହି ଆପ୍ ତଥା ଅନଲାଇନରେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା। ଯାହା ଦ୍ବାରା ନାମାଙ୍କନ ପତ୍ର, ଆଫିଡିପିଟ୍ ଓ ରାଲି ସଭା ସମିତି ଇତ୍ୟାଦି ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ପ୍ରମାଣପତ୍ର ପାଇ ପାରିବେ। ସେହିପରି ପ୍ରଚାର ପାଇଁ ଆବଶ୍ୟକ ଅନୁମତିର ତାଲିକା ଦେଖିବାର କ୍ଷମତା ଓ ସେମାନଙ୍କର ଅନୁମତି ପ୍ରୟୋଗର ସ୍ଥିତିକୁ ଟ୍ରାକ୍ କରିବାର କ୍ଷମତା, ଅନୁମତି ଫର୍ମ ଡାଉନଲୋଡ୍ କରି ଅନଲାଇନରେ ଦାଖଲ କରିବାର କ୍ଷମତା ପ୍ରାର୍ଥୀଙ୍କ ସଂପୂର୍ଣ୍ଣ ବିବରଣୀ ରହିଛି। ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେହିପରି ଉପସ୍ଥିତ ସମସ୍ତ ରାଜନୈତିକ ପ୍ରତିନିଧିଙ୍କୁ ସିଭିଜିଲ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଆଜିର ଏହି ତାଲିମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ, ଦୁର୍ଯ୍ୟୋଧନ ଭୋଇ ଓ ଅନ୍ୟାନ୍ୟ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ରାଜନୈତିକ ପ୍ରତିନିଧି ଯଥା ବିଜେଡିରୁ ଧନୁର୍ଜୟ ମାଡକାମୀ, ବିଜେପିରୁ ସଞ୍ଜୟ ସରକାର, କଂଗ୍ରେସରୁ ଜି ଶ୍ରୀନିବାସ ରାଓ ଓ ପର୍ଶୁରାମ ଭକ୍ତ, ବିଏସପିରୁ କୁମାର ଜାଲିଆ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)