ହିଞ୍ଜିଳିକାଟୁ ,୧୬/୦୯(ପିପିଟି):ଦୁଇ ଦଫା ଦାବିକୁ ନେଇ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଣ ଅନୁଦାନ କଲେଜ କର୍ମଚାରୀଙ୍କ କଲଜେ ସମ୍ମୁଖରେ ସମୂହ ଧାରଣା ଦେଇଛନ୍ତି । ଗତ ମାସ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ସଚିବ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦେଶକ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନାଧିକାରୀ, ହିଞ୍ଜିଳି ପୌର ପରିଷଦ ନିର୍ବାହୀ ଅଧିକାରୀ,ବିଜ୍ଞାନ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତିଙ୍କ ସମତେ ମହାବିଦ୍ୟାଳୟର ଅଧକ୍ଷାଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଏକ ସୁନାମ ଧନ୍ୟ ବିଜ୍ଞାନ ମହାବିଦ୍ୟାଳୟ । କିନ୍ତୁ ହିଞ୍ଜିଳିକାଟୁ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଣ ଅନୁଦାନ କର୍ମଚାରୀ ଗତ ୨୦୦୦ ମସିହା ଠାରୁ ଆଜିକୁ ୨୨ବର୍ଷ ଧରି ଭିନ୍ନ ଭିନ୍ନ ପଦବୀରେ ମହାବିଦ୍ୟାଳୟ ପ୍ରଦତ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟ ଯଥା ନିର୍ବାଚନ, ସାମାଜିକ ସଚେତନତା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରି ଆସୁଥିବା ବେଳେ ଓଡିଶା ସରକାରଙ୍କ ଅନୁଦାନ ନୀତି ୨୦୧୪ ଗ୍ରାଣ୍ଟ ଇନ ଏଡ଼ ଅନୁଯାୟୀ କୌଣସି ପଦବୀ ଅନୁଦାନ ପ୍ରାପ୍ତ ହୋଇପାରୁନାହିଁ । ଅପର ପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ୱାରା ପ୍ରଦତ୍ତ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସୁଛନ୍ତି ବିଦ୍ୟାଳୟ କର୍ମଚାରୀ । ଉକ୍ତ ମହାବିଦ୍ୟାଳୟରେ ସମସ୍ତ ସରକାରୀ ଅନୁମୋଦିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡିଛି ଏବଂ ଅସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀଙ୍କ ଅବସର ବୟସ ପାଖାପାଖି ପହଂଚି ଲାଣି । ଇତି ମଧ୍ୟରେ ସରକାରୀ ଅନୁଦାନରୁ ବଂଚିତ ଜଣେ କର୍ମଚାରୀ ଶ୍ରୀ ଜଗନ୍ନାଥ ପଣ୍ଡିତଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ମଧ୍ୟ ହୋଇ ସାରିଛି । ତେଣୁ ଆଜି ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର କର୍ମଚାରୀ ମାନେ ୨୦୧୪ ଗ୍ରାଣ୍ଟ-ଇନ-ଏଡ଼ ମଂଜୁର କରିବା ଦୁଇ ଦଫା ଦାବିରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଚେତାବନୀ ଦେବା ସହ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।ଏହି ଧାରଣାରେ ସାବିତ୍ରୀ ନାଇକ, ଅମୂଲ୍ୟ ଦାସ, ଜିତେନ୍ଦ୍ର ପଣ୍ଡା, ଲଳିତ ମହାନ୍ତି, ଅରୁଣ ପାତ୍ର, କପିଳ ନାହାକ, ନନ୍ଦ କିଶୋର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଅଣ ଅନୁଦାନ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ-ଅଜିତ କୁମାର ପଟ୍ଟନାୟକ