ମାଲକାନଗିରି,୧୬/୦୯ (ପିପିଟି):ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମାଲକାନଗିରି ଜିଲ୍ଲା ଗସ୍ତ କରି ଥିବା ବେଳେ ଦଣ୍ଡକାରଣ୍ୟ ପଡ଼ିଆ ଠାରେ ଆୟୋଜିତ ସଭାରେ ନିଜର ମତବ୍ୟକ୍ତ କରିଥିଲେ।ସେ କହିଲେ ଯେ ମାଲକାନଗିରି ଜିଲ୍ଲାର ଜନସଂଖ୍ୟା ୮ ଲକ୍ଷ ୫୨ ହଜାର ରହିଥିବା ବେଳେ ଶତକଡ଼ା ୭୫ ପ୍ରତିଶତ ଲୋକ ଶ୍ରମଜୀବୀ ଓ ଚାଷୀ । ମାଲକାନଗିରି ଜିଲ୍ଲାରେ କାମ ନପାଇ ଅଧିକାଂଶ ଲୋକେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶକୁ ଦାଦନ ଶ୍ରମିକ ଭାବେ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ଯଦି ଜିଲ୍ଲାରେ କିଛି ଶିଳ୍ପ ବା ଛୋଟ ବଡ଼ ଉଦ୍ୟୋଗ ହୋଇଥାନ୍ତା,ତାହା ହେଲେ ସେମାନେ ଅନ୍ୟ ରାଜ୍ୟକୁ ନ ଯାଇ ନିଜ ଜିଲ୍ଲାରେ କାମ ପାଇଥାନ୍ତେ। ଭାରତ ସ୍ବାଧୀନ ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଥିବା ୭ ଟି ବ୍ଲକ ମଧ୍ୟରୁ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନର ସୁବିଧା ନାହିଁ । ଫଳରେ ଚାଷୀମାନେ ବର୍ଷା ଉପରେ ନିର୍ଭରଶୀଳ । ବର୍ଷା ନହେଲେ ଚାଷୀ ଆର୍ଥିକ ମାନଦଣ୍ଡ ଦୋହଲି ପଡେ । ଆଉ ୪ବ୍ଳକର ୫୦ ପ୍ରତିଶତ ଜମିରେ ଜଳସେଚନର ସୁବିଧା ନାହିଁ। ଜଳସେଚନର ସୁବିଧା ଥିଲେ ଚାଷୀମାନେ ବର୍ଷକୁ ୩ ରୁ ୪ ଟା ଫସଲ କରିପାରିଥାନ୍ତେ । ବି.ଇଡି କଲେଜ ନିର୍ମାଣ କାର୍ଯ୍ୟ ୫ବର୍ଷ ହେଲା ଶେଷ ହୋଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ବର୍ତ୍ତମାନ ବିଇଡି କଲେଜ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ରାଜ୍ୟରେ ମାଲକାନଗିରି ଜିଲ୍ଲା ୩୦ ନମ୍ବର ରହିଛି। ଗତ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଜିଲ୍ଲାର ମହିଳାଙ୍କ ସାକ୍ଷରତା ହାର ଶତକଡ଼ା ୬ ପ୍ରତିଶତରେ ସୀମିତ ରହିଛି। ଜିଲ୍ଲାରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁହାର ଓ କୁପୋଷଣ ହାର ସର୍ବାଧିକ ରହିଛି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ଘୋର ଅଭାବ ରହିଛି । ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହିଁ, ହସ୍ପିଟାଲରେ ଡାକ୍ତର ଆବଶ୍ୟକ ଅନୁସାରେ ନାହିଁ। ଭୁବନେଶ୍ୱରରେ ତାମିଲନାଡ଼ୁର ଜଣେ ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବରଦଖଲ କରି ୩୦୦ ଏକର ଜମିରେ ପାଣି ବନ୍ଦ କରିଛନ୍ତି । ଯଦି ସେଠାରେ ଏଭଳି ଅବସ୍ଥା ତାହା ହେଲେ ମାଲକାନଗିରିରେ ଏଭଳି ଜବରଦଖଲ କେତେ ଥିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା। ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପରି ନିରବ ରହିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ବିଜେପିର ବରିଷ୍ଠ ନେତା ଗୁରୁଚରଣ ମହାନ୍ତି, ମନୋଜ କୁମାର ପାଢ଼ୀ, ମାଲକାନଗିରି ବିକାଶ ପରିଷଦର ଆବାହକ ଇ.ପ୍ରସାଦ ରାଓ , ଆମ ପରିବାରର ଆବାହକ ଜୀବନ ସାହୁ, ଆମ ପରିବାରର ଆବାହକ ମନ୍ମଥ ମଲ୍ଲିକ, ରାଜ୍ୟ ଆବାହକ ନିଶିକାନ୍ତ ନାୟକ, ସଂଯୋଜକ ରଶ୍ମି ରଞ୍ଜନ ଲେଙ୍କା, କୋରାପୁଟ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ବିଜୟ ମିଶ୍ରଙ୍କ ସମେତ ବହୁ ସାମାଜିକ କର୍ମି ଯୋଗ ଦେଇଥିଲେ । ଏ ଅବସରରେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ କ୍ଷୁଦ୍ର ଜମାକାରୀ ସଂଘ ଦ୍ୱାରା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସଭା ପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡରୁ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାଗତ କରାଯାଇ ଏକ ବିରାଟ ପଦଯାତ୍ରାରେ ଦଣ୍ଡକାରଣ୍ୟ ପଡ଼ିଆରେ ପ୍ରବେଶ କରି ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)