ମାଲକାନଗିରି ଜିଲ୍ଲାରେ ୭୭ତମ ସ୍ବାଧୀନତା ଦିବସ ପାଳିତ ।

0 214

ମାଲକାନଗିରି ,୧୬/୦୮ (ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ ଦଣ୍ଡକାରଣ୍ୟ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।
ଏହି ଜିଲ୍ଲାସ୍ତରୀୟ ସ୍ୱାଧୀନତା ପାଳନ ପରିପ୍ରେକ୍ଷୀରେ ସୂଚନା ପ୍ରଯୁକ୍ତି , କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତରୁଣକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ବ୍ଯକ୍ତବ୍ଯରେ କହିଲେ ଯେ,ଯେଉଁ ମହାନ ମାନବ , ବରପୁତ୍ର ନିଜର ଅସୀମତ୍ୟାଗ , ଆତ୍ମବଳୀ ପ୍ରତିଦାନରେ ଆମ ପାଇଁ ସ୍ଵାଧୀନତା ଆଣି ଭାରତକୁ ଏକ ସାର୍ବଭୌମ , ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ କରିଛନ୍ତି , ସେମାନେ ଆମର ନମସ୍ୟ ଓ ଚିର ସ୍ମରଣୀୟ । ବିଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ । ମାଲକାନଗିରି ଜିଲ୍ଲା ହେଉଛି ସଂଗ୍ରାମର ମାଟି । ଯେଉଁ ମାଟିରେ ଲକ୍ଷ୍ମଣ ନାୟକ ଏବଂ ତାମଦୋରା ଭଳି ସ୍ବାଧୀନତା ସଂଗ୍ରାମୀମାନେ ଜନ୍ମଗ୍ରହଣ କରିଥିଲେ। ସ୍ବରାଜ ପାଇଁ ଶହୀଦ ହୋଇଥିଲେ । ଏହି ମାଟିରେ ଅନେକ ସ୍ବାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି।ଯାହାକି ଆମ ଗହଣରେ ଚିର ସ୍ମରଣୀୟ ହୋଇ ରହିବେ । ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲ ।ପ୍ୟାରେଡରେ ମୋଟ ୨୯ଟି ଦଳ ଅଂଶଗ୍ରହଣ କରିଥିଲେ। ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଟପର ଛାତ୍ର ଛାତ୍ରୀ , ସ୍ବାସ୍ଥ୍ୟ କର୍ମୀ , ପୋଲିସ କର୍ମଚାରୀ ଏବଂ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ଉତ୍ତମ ପ୍ୟାରେଡ଼ ପ୍ରଦର୍ଶନ ଓ ସୁନ୍ଦର ପୋଷକ ପାଇଁ ୫ଟି ଦଳକୁ ପୁରସ୍କୃତ କରାଯାଇଥିଲା।
ଏହି ଉତ୍ସବରେ ଜିଲ୍ଲାପାଳ ବିଶାଳ ସିଂ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧାନୀ , ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାଥ ମାଝୀ , ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ ଜିଲ୍ଲାସ୍ତରୀୟ ଅଧିକାରୀ , ବରିଷ୍ଠନାଗରିକ , ସାମ୍ବାଦିକ , ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ, ସର୍ବସାଧାରଣ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ବାଧୀନତା ଦିବସକୁ ସାଫଲ୍ଯ ମଣ୍ଡିତ କରିଥିଲେ । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ରିର୍ଜଭ ପୁଲିସ ଇନ୍ସପେକ୍ଟର କମାଣ୍ଡାଣ୍ଟ ଜ୍ୟୋତି କୁମାର କିରୋ , ସେକେଣ୍ଡ କମାଣ୍ଡେଣ୍ଟ ଭାବେ ତ୍ରିଲୋଚନ ସେଠୀ ପ୍ୟାରେଡ୍‌ ପରିଚାଳନା କରିଥିଲେ । ପାଗ ଶୁଖିଲା ଥିବାରୁ ସ୍ବାଧୀନତା ଦିବସ ଜାକଜମକରେ ପାଳନ କରାଯାଇଥିଲା।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.