୫ମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଆ ଅସ୍ମିତାର ପର୍ବ ପାଳିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ ।

0 0

ଭୁବନେଶ୍ୱର,୦୨/୦୪(ପିପିଟି): ଆଜି ଥିଲା ପବିତ୍ର ଓଡ଼ିଆ ଅସ୍ମିତାର ପର୍ବ “ଉତ୍କଳ ଦିବସ” । ରାଜଧାନୀ ଭୁବନେଶ୍ଵର ୟୁନିଟ୍ – ୩ ସ୍ଥିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରସ୍ ସର୍ଭିସ୍ ଆସୋସିଏସନ୍ ସଭା କକ୍ଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଶରତ କର ଅନିମା କର ଫାଉଣ୍ଡେସନ” ଆୟୋଜନ କରିଥିଲେ ଅନୁଷ୍ଠାନର ୫ମ ପ୍ରତିଷ୍ଠା ଦିବସ ଉତ୍ସବ । ଶ୍ରୀ ଜଗନ୍ନାଥଙ୍କ ବନ୍ଦନା, ଅର୍ଚ୍ଚନା ତଥା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହ ଉଦ୍ ଘାଟିତ ହୋଇଥିଲା ।

ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାୟନରେ ଦଣ୍ଡାୟମାନ ସମସ୍ତ ଦର୍ଶକ ତଲ୍ଲୀନ ହୋଇଯାଇଥିଲେ । “ନିର୍ଭୀକ” ସମ୍ପାଦକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଏବଂ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶୋଭନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଜନନେତା ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଅନୁଷ୍ଠାନର ସମାଜସେବା ତଥା ଜନତାଙ୍କ ସାମଗ୍ରିକ ବିକାଶ ଦିଗରେ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ବିଶିଷ୍ଟ ଅତିଥି ଭାବେ ଏସିଆ ମହାଦେଶୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଲିଡ଼ାରିଡ଼ାଡ୍” ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶତଦୃ ଚଟ୍ଟୋପାଧ୍ୟାୟ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ମଣୀନ୍ଦ୍ର କୁମାର ମେହେର ଯୋଗଦେଇ ଓଡ଼ିଆ ଅସ୍ମିତା ର ମହାନ୍ ପର୍ବ ଉତ୍କଳ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିବା ସହିତ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ଜାତୀୟ ସଙ୍ଗୀତର ମାନ୍ୟତା ଦେବାରେ ଓଡ଼ିଶାର ପୂର୍ବତନ ବାଚସ୍ପତି ସ୍ବର୍ଗତ ଶରତ କୁମାର କରଙ୍କ ଅନନ୍ୟ ଅବଦାନ ତଥା ତାଙ୍କ ନାମରେ ନାମିତ ପ୍ରତିଷ୍ଠାନର ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମର ଅଦ୍ଭୁତ ସାମଞ୍ଜସ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ “*ନିର୍ଭୀକ*” ପତ୍ରିକାର ଉତ୍କଳ ଦିବସ ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଏବଂ ତାହା ପ୍ରେକ୍ଷାଳୟରେ ସମସ୍ତଙ୍କୁ ନିଃଶୁଳ୍କ ବିତରଣ କରାଯାଇଥିଲା ।

ପୁନଶ୍ଚ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ବରିଷ୍ଠ ମୁକ୍ତବୃତ୍ତ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଏବଂ ସମାଜ ସେବା କ୍ଷେତ୍ରରେ ଉଦ୍ଧାର ଫାଉଣ୍ଡେସନ ଚୌଦ୍ଵାରର ସଂସ୍ଥାପକ ନରୋତ୍ତମ ଦାସଙ୍କୁ ଫାଉଣ୍ଡେସନ ପକ୍ଷରୁ ଉତ୍ତରୀୟ, ସମ୍ମାନ ଫଳକ ଉପଢୌକନ ବୃକ୍ଷଚାରା ଓ ପୁରସ୍କାର ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିକ୍ରିୟାରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଦ୍ବୟ ଓଡ଼ିଆ ଅସ୍ମିତାର ଗୌରବମୟ ଦିବସରେ ସମ୍ମାନିତ ହୋଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ ।

ଫାଉଣ୍ଡେସନ ପକ୍ଷରୁ ସଦ୍ୟ ପ୍ରକାଶିତ ସତ୍ୟାନନ୍ଦ ଦାଶଙ୍କ ରଚିତ କବିତା ସଂକଳନ “କୁନା ପାଇଁ ଚୂନା ଫୁଲ” ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ପ୍ରକାଶିତ ଅବନୀ ଚନ୍ଦ୍ର ଦାସଙ୍କ ଲିଖିତ ମାର୍ଗଦର୍ଶିକା ପୁସ୍ତକ “ମୋ କଲମ କଥା କହେ” ସଭାମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ପାଠକାର୍ପିତ ହେବା ସହିତ ପୁସ୍ତକର ସ୍ରଷ୍ଟାଦ୍ୱୟଙ୍କୁ “ଲେଖକୀୟ କୃତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ।

ଶେଷରେ ଫାଉଣ୍ଡେସନର ସହ – ଅଧ୍ୟକ୍ଷ ପ୍ରଫେସର୍ ସୁମନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.