ଭଞ୍ଜନଗର, ୨୭/୦୯(ପିପିଟି ):ଦୀର୍ଘ ବର୍ଷ ହେଲା ଇଞ୍ଜନଗର ଅଞ୍ଚଳରେ ପାନୀୟ ଜଳଯୋଗାଣ ଓ ଚାଷ ଜମିରେ ଜଳସେଚନର ସୁବିଧା ଯୋଗାଇ ଆସୁଛି ଭଞ୍ଜନଗର ଜଳ ଭଣ୍ଡାର। ହେଲେ ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ଜଳଭଣ୍ଡାର ରେ ଜଳ ପରିପୂର୍ଣ୍ଣ ହୋଇ ରହିଛି।ଏହାର ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ସ୍ଥିତ ଶ୍ରୀରାମ ନଗର ଠାରେ ଥିବା ସ୍ପିଲ ୱେ ଗେଟ ଦୀର୍ଘ ୫ବର୍ଷ ପରେ ଖୋଲାଯାଇଛି।ଏହି ଜଳଭଣ୍ଡାର ର ଜଳଧାରଣ କ୍ଷମତା ୫,୭୬୬ ହେକ୍ଟୋମିଟର ଥିବା ବେଳେ ଗତ କିଛି ଦିନ ହେଲା ଅଦିନିଆ ବର୍ଷା ଲାଗି ରହିବା କାରଣରୁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୯୨% ରହିଥିଲା।ଆଗକୁ ଜଳଭଣ୍ଡାର ପ୍ରତି ବିପଦ ଆଶଙ୍କା କରି ଗତ ଦୁଇ ଦିନ ହେଲା ସ୍ପିଲ ୱେ ଗେଟ ଖୋଲା ଯାଇଥିଲା।ଯାହା ଫଳରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ପକ୍ଷରୁ ଅତ୍ୟଧିକ ଜଳକୁ କେନାଲ ଯୋଗେ ଲୋହରାଖଣ୍ଡି ନଦୀକୁ ନିଷ୍କାସନ କରାଯାଇଛି। ଜଳଭଣ୍ଡାରରେ ବର୍ତ୍ତମାନ ୮୫% ଜଳ ଗଛିତ ରଖି ଆଜି ଅପରାହ୍ନରେ ଗେଟ ବନ୍ଦ କରାଯାଇଛି।ଶେଷ ଥର ପାଇଁ ଗତ ୧୬ମେ ୨୦୨୦ ମସିହାରେ ୨ଦିନ ପାଇଁ ଏହି ଗେଟ ଖୋଲା ଯାଇଥିଲା।ତାପର ଠାରୁ ସ୍ବଳ୍ପ ବୃଷ୍ଟି କାରଣରୁ ଏଠାକୁ ଜଳସେଚନ ଓ ପାନୀୟ ଜଳଯୋଗାଣ ପାଇଁ ବହୁବାର କେନାଲ ଯୋଗେ ପାଣି ଛଡ଼ା ଯାଇଛି।ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଜଳ ଭଣ୍ଡାରରେ କେବଳ ୧୪ ପ୍ରତିଶତ ଜଳ ସଂରକ୍ଷିତ ରହିଥିଲା। ଗତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆଶାନୁରୂପ ବର୍ଷା ହୋଇ ନଥିବାରୁ ଏଠାରେ ଜଳସ୍ତର ହ୍ରାସ ପାଇଥିଲା। ଏଠାରେ ମାଛ ବ୍ୟବସାୟ କରି ଚଳୁଥିବା ବହୁ ମତ୍ସ୍ୟଜୀବୀ ନିଜ ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିଲେ। କେତେକ ସମୟରେ ଅଦିନିଆ ଲଘୁଚାପଜନିତ ବର୍ଷା ହୋଇଥିଲେ ତାହା ଜଳ ଭଣ୍ଡାରର ଆବଶ୍ୟକତା ପୂରଣ କରି ପାରି ନଥିଲା। ଜଳ ଭଣ୍ଡାର ଶୁଷ୍କ ହୋଇ ରହିଥିବାରୁ ଯେତିକି ପରିମାଣରେ ଜଳ ଗଛିତ ଥିଲା ତାହାକୁ କେବଳ ପାନୀୟ ଜଳଯୋଗାଣ ପାଇଁ ବ୍ୟବହାର କରାଯାଉଥିଲା। ଗ୍ରୀଷ୍ମଋତୁ ଆରମ୍ଭରେ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ଏହାର ପ୍ରଭାବରେ ଲାଲସିଙ୍ଗ ପଞ୍ଚାୟତ ସମେତ ବହୁ ଗ୍ରାମରେ କୂଅ ପୋଖରୀ ଶୁଖି ଜଳ ସଙ୍କଟ ସୃଷ୍ଟି ହୋଇଥିଲା।ହେଲେ ବର୍ତ୍ତମାନ ସମୟରେ ବାରମ୍ବାର ଲଘୁଚାପଜନିତ ବର୍ଷା କାରଣରୁ ଜଳଭଣ୍ଡାର ରେ ଜଳ ଭରପୁର ହୋଇ ରହିଛି।
ପୂର୍ବରୁ ଭଞ୍ଜନଗର ଅଞ୍ଚଳରେ ଅଧିକାଂଶ ସମୟରେ ମରୁଡ଼ି ଏକ ମୁଖ୍ୟ ସମସ୍ୟା ରୂପେ ଠିଆ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୧୮୯୪ ନଅଙ୍କ ଦୁର୍ଭିକ୍ଷ ସମୟରେ ଇଂରେଜମାନେ ସ୍ଥାନୀୟ
ଅଞ୍ଚଳରେ ଜଳ ସଙ୍କଟରୁ ମୁକ୍ତି ପାଇଁ ଦୁଇଟି ପହାଡ଼କୁ ସଂଯୋଗ କରି ୧,୩୧,୦୬୦ମିଟର ଏକ ହୁଡ଼ା ନିର୍ମାଣ କରିଥିଲେ। ଉକ୍ତ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ସେଠାରେ ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ରସଲକୋଣ୍ଡା ଜଳଭଣ୍ଡାର ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଞ୍ଜନଗର ଜଳଭଣ୍ଡାର ନାମରେ ପରିଚିତ ହେଲା। ଏଠାରୁ ପ୍ରତିବର୍ଷ ଜୁଲାଇ ୧୫ ରୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ମାସ ଜଳସେଚନ ନିମନ୍ତେ କେନାଲ ଯୋଗେ ପାଣି ଛଡ଼ାଯାଏ । ଯାହା ଫଳରେ ପ୍ରାୟ ୧,୩୪, ୮ ୪୭ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ନୂଆ ଗାଁ କେନାଲ ଯୋଗେ ବେଣାକୁନ୍ଦା, ତୁଳସୀ ପଲି, ସାହାଣ ପଲି, ଭେଲେଡ଼ା, ପଢାଳ, ବଲାଡ଼ି, ପାଟୁଳି ସାହି, ଇଙ୍ଗିନାଠି, ସାରିଆ ପଲି, ଭସ୍ତପଲି, ରତଙ୍ଗ, ମନ୍ଦାର, ଭେଜିପୁଟ, ଫିସେରୀ ଓ ଲାଲ ସିଙ୍ଗି ଅଞ୍ଚଳରେ ଥିବା ଚାଷଜମିରେ ଜଳସେଚନର ସୁବିଧା ରହିଛି। ଭଞ୍ଜନଗର ଜଳଭଣ୍ଡାରରୁ ମାଧବରିଡା, ଗିରିସୋଲା ଓ ବ୍ରହ୍ମପୁର ପର୍ଯ୍ୟନ୍ତ ଜେନାଲ ଦ୍ବାରା ଚାଷଜମିକୁ ଜଳସେଚନ ବ୍ୟତୀତ ପାନୀୟ ଜଳଯୋଗାଣ ସମସ୍ୟା ମଧ୍ୟ ଦୂର ହୋଇପାରିଛି।କହିବାକୁ ଗଲେ ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର ଜଳଭଣ୍ଡାରର ଗୁରୁତ୍ୱ ବେଶୀ ରହିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)