୪ କ୍ଵିଣ୍ଟାଲ ୩୧ କେଜି ଗଞ୍ଜେଇ ସହ ଟ୍ରକ,କାର ଜବତ ସହ ୫ ମାଫିଆ ଗିରଫ ।

0 230

ସୁବର୍ଣ୍ଣପୁର ,୩୦/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତଥା ଉଲୁଣ୍ଡା ପୋଲିସ କୁ ମିଳିଛି ଏକ ବଡ ସଫଳତା। ଦିନକୁ ଦିନ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ । ବୌଦ୍ଧ ଜିଲାରୁ ସୋନପୁର ରାସ୍ତା ଦେଇ ଟ୍ରକ୍‌ରେ ଦିଲ୍ଲୀ କୁ ଗଞ୍ଜେଲ ଚାଲାଣ ହେଉଥିଲା ବେଳେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ପୋଲିସ ଏହାକୁ ଧରିଛି। ମାଫିଆ ମାନେ ଗଞ୍ଜେଇ ଚାଲାଣ କରିବା ପାଇଁ ଟ୍ରକରେ ପ୍ରଥମେ କାଜୁ ଚୋପା ବୋଝେଇ କରିବା ପରେ ବୌଦ୍ଧ ଜିଲାକୁ ଆସି କାଜୁ ଚୋପା ଭିତରେ ଗଞ୍ଜେଇ ବସ୍ତାରେ ଭର୍ତ୍ତି କରି ଫୁଲବାଣୀ ପଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଟ ହୋଇ ସୁବର୍ଣ୍ଣପୁର ଦେଇ ଦିଲ୍ଲୀ କୁ ଚାଲାଣ କରୁଥିବା ବେଳେ ଏକ ବ୍ରିଜା କାରରେ ନଂ ଓଡି୦୭ଏନ -୧୯୧୮ ରେ ୩ ଜଣ ଯୁବକ ଟ୍ରକ୍‌କୁ ଏସକଟ ଦେଉଥିଲେ । ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇବା ପରେ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ସମ୍ବଲପୁର ରାସ୍ତାରେ ଯାଉଥିବା ବେଳେ ଉଲୁଣ୍ଡା ଥାନାଧିକାରୀ ଙ୍କୁ ଧରିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେବା ସହ ନିଜେ ମଧ୍ୟ ପରେ ପରେ ଗଞ୍ଜେଇ ବୋଝେଇ ଟ୍ରକ୍ ପିଛା କରିଥିଲେ । ଉଲୁଣ୍ଡା ଥାନା ଆଇଆଇସି ଲିଙ୍ଗରାଜ ସେଠୀ ଓ ଏସଆଇ ଦେବାଶିଷ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଉଲୁଣ୍ଡା ଥାନା ସମ୍ମୁଖରେ ଟ୍ରକ୍ ନଂ. ବିଆର ୦୬ ଜିଡି ୩୨୨୨ କୁ ଅଟକାଇ ତନଖି କରିବା ସମୟରେ କାଜୁ ଚୋପା ଭିତରେ ଥିବା ୧୩ଟି ବଡ ବସ୍ତାରେ ଥିବା ୪କୁଇଣ୍ଟାଲ ୩୧ କିଲୋ ୬୦୦ଗ୍ରାମ ଗଞ୍ଜେଇ ମିଳିଥିଲା l ଏଥି ସହ ତାଙ୍କ ପାଖରୁ ନଗଦ ୧ ଲକ୍ଷ ୯୭ ହଜାର ଟଙ୍କା ଓ ୭ ଟି ମୋବାଇଲ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ବିହାର ମତିହାର ଜିଲ୍ଲା ମେହେସି ର ରାଜକୁମାର ରାଏ (୩୪), ହେଲପର ମୁଜାଫରପୁର ଜିଲ୍ଲା ମାଧପୁରହାଜର ଅଞ୍ଚଳର ବିକାଶ କୁମାର(୧୯)ଙ୍କୁ ଗିରଫ କରାଯାଇଥିଲା। ଏଥି ସହ କାରରେ ଏସକଟ ଦେଉଥିବା ଗଞ୍ଜେଇ ମାଫିଆ ବୌଦ୍ଧ ଜିଲା କଣ୍ଟାମାଳ ଥାନା ରୁଣ୍ଡି ମହୁଲ ଗ୍ରାମର ଶଙ୍କର୍ଷଣ ବାରିକ (୪୪), ମନମୁଣ୍ଡା ଥାନା ଧୁଙ୍ଗିଆପଦର ଗ୍ରାମର ପରାସର ଥାଟି (୨୨) ଓ ସମ୍ବଲପୁର ଜିଲ୍ଲା ଟାଉନ ଥାନା ନନ୍ଦପଡାର ଜଗଦୀଶ ବାଗ(୩୦) ଙ୍କୁ ଗିରଫ କରିବା ସହ ପୋଲିସ କାର, ଟ୍ରକ ଓ ଗଞ୍ଜେଇ ଜବତ କରି ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ନେଇ ଏକ ମାମଲା ଉଲୁଣ୍ଡା ଥାନା କେସ ନଂ ୧୦୧/୨୮.୭.୨୫ U/s-20(b)(ii)C/ 29 NDPS ଆକ୍ଟ ରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ତେବେ ଗିରଫ ଶଙ୍କର୍ଷଣଙ୍କ ନାମରେ ପୂର୍ବରୁ ମଧ୍ଯ ବଲାଙ୍ଗୀର ଟାଉନ ଥାନାରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ମାମଲା ଥିବା ପୋଲିସ କହିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.