ମାଲକାନଗିରି,୨୦/୦୭(ପିପିଟି) :ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ସ୍ୱାଭିମାନ ଅଂଚଳର ରାଲେଗଡ଼ା ପଞ୍ଚାୟତର ସାରକୁବନ୍ଧ ଗାଁ ନିକଟରୁ ବରାହ ଶିକାର କରୁଥିବା ଅଭିଯୋଗରେ ୧୧ ଜଣକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଟାଙ୍ଗିଆ,କାତି,ତେଣ୍ଟା ଏବଂ ୧୦୦ରୁ ଊର୍ଦ୍ଧ୍ବ ଜାଲ, ୪୨ କିଲୋ ବାର୍ହା ମାଂସ, ୨ ଗୋଟି ଜୀବନ୍ତ ଶାବକ, ୯ଟି ବାଇକ, ଗୋଟିଏ ଟ୍ରାକ୍ଟର ଜବତ କରାଯାଛି।
ବନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଲେଗଡ଼ା ପଞ୍ଚାୟତରେ କିଛି ଗ୍ରାମରେ ଗତ କିଛି ଦିନ ହେବ ଜଙ୍ଗଲ ଜନ୍ତୁ ଶିକାର ହେଉଥିଲା। ଆଜି ମାଲକାନଗିରି ଡିଏଫ୍ଓ ସାଇ କିରଣ ଡି ଏନଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନେତୃତ୍ବରେ ବନପାଳ ନିରଞ୍ଜନ ସାରକା, ବନପାଳ ରାଜେଶ କୁମାର ସେଠୀ, ବନରକ୍ଷୀ ସଞ୍ଜୟ କୁମାର ପରିଡ଼ା, ୱାଇଲଡ଼ ଲାଇଫ ପାରା ସ୍କ୍ୱାର୍ଡ ମିଳିତ ଭାବେ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ।ଚଢ଼ଉ ସମୟରେ ସେମାନଙ୍କ ନିକଟରୁ କଟାଯାଇଥିବା ବାର୍ହା ମାଂସ ୪୨ କିଲୋ ୯୦୦ ଗ୍ରାମ, ଶିକାରରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ,କାତି,ତେଣ୍ଟା,ବାର୍ହା ଫାଶ, ୯ ଗୋଟି ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର,୨ଟି ଜୀବନ୍ତ ବାର୍ହା ଶାବକ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ୱାଭିମାନ ଅଞ୍ଚଳର କୋତାଉରୁ, ଲିମାସେତୁ, ମଣ୍ଡା ପାଲ୍ଲୀ ଏବଂ ପାପର ମେଟଲା ଅଂଚଳର ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ ବାଳକ୍ରୀଷ୍ଣା ଉଡ଼ୁ, ସନ୍ତୋଷ ବାରବାସ, କମଲେଶ ଉଡ଼ୁ, ରାମବାବୁ ବାରବାସ, ନାଗେଶ କୁମୁଡା, ନାଗରଜୁ ବାରବାସ, କ୍ରିଷ୍ଣା ରାଓ ପତରଙ୍ଗୀ, ବୋମାନା କୁମୁଡା, ମାଛଲିଙ୍ଗମ ବାରବାସ, ସନ୍ୟାସୀ ରାଓ ବାରବାସ, ଶ୍ରୀନୁବାବୁ ଖିଲ। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ନେଇ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ପ୍ରକାଶ କରିଛନ୍ତି । ଏହା ବ୍ୟତିତ ୨ ଗୋଟି ବରାହ ଶାବକକୁ ଉପଯୁକ୍ତ ତଦାରଖ ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)