୪ବର୍ଷ ହେଲା ଅସମ୍ପୂର୍ଣ୍ଣ ଆସ୍କା-ଭଞ୍ଜନଗର ରାସ୍ତା; କଇଣ୍ଡି ଟ୍ରକ ଦୁର୍ଘଟଣାରେ ଚାଳକ ମୃତ ।

0 333

ଭଞ୍ଜନଗର, ୧୯/୦୯(ପିପିପି):ବିଜୟ ୱାଡ଼ା-ରାଞ୍ଚି କରିଡର ୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ଆସ୍କା ଠାରୁ ଭଞ୍ଜନଗର ଦୀର୍ଘ ୪୦କିଲୋମିଟର ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ବ ହେବ ଶେଷ ହୋଇ ପାରୁନାହିଁ।ଆଜିବି ଅନେକ ସ୍ଥାନରେ ରାସ୍ତା ଦର ଖଣ୍ଡିଆ ଓ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।ଜାତୀୟ ରାଜପଥ ବିଭାଗ ଦ୍ଵାରା ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡିକ ଚିହ୍ନଟ କରି ସେହି ସ୍ଥାନରେ ରାସ୍ତାକୁ ଲାଗି ରହିଥିବା ଗଛ ସବୁ କାଟିବା ଓ ଅଣଓସାରିଆ ବୁଲାଣି ରାସ୍ତାକୁ ସଳଖ କରିବା ପାଇଁ ପ୍ରକ୍ରିୟା ଚାଲିଛି।ଏସଂକ୍ରାନ୍ତରେ ବାରମ୍ବାର ଗଞ୍ଜାମ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ।ଯାହା ଫଳରେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରାସ୍ତା ସକାଶେ ଅନେକ ଥର ଦୁର୍ଘଟଣା ଘଟୁଥିବା ଜଣାପଡିଛି।ହେଲେ ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଗୁରୁବାର ରାତିରେ ପୁଣିଥରେ ଭଞ୍ଜନଗର ଥାନା ଅନ୍ତର୍ଗତ କଇଣ୍ଡି ଗ୍ରାମ ନିକଟରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଥିବା ଜଣାପଡ଼ିଛି।କଇଣ୍ଡି ଗ୍ରାମ ଠାରୁ ୧୦ମିଟର ଆଗକୁ ରାସ୍ତା ଦୀର୍ଘ ଦିନ ହେଲା ଅଧପନ୍ତରିଆ ହୋଇ ରହିଛି।ଉକ୍ତ ସ୍ଥାନରେ ଥିବା ୩ଟି ଗଛକୁ କଟାଯାଇଥିବା ବେଳେ ପୋଲ ପ୍ରଶସ୍ତିକରଣ କାର୍ଯ୍ୟ ଅଟକି ରହିଛି।ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ଟ୍ରକଟି ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଆସୁଥିଲା ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଟ୍ରକ୍ ଭିତରେ ଚାଳକର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ହେଲପର ଓ ଭଙ୍ଗା ଛାତଘର ଭିତରୁ ଘରମାଲିକକୁ ଅଗ୍ନିଶମ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ଅନ୍ୟପଟେ ଛାତଘର ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଉଭୟ ଘରମାଲିକ ଏବଂ ହେଲପର୍ ଙ୍କୁ ଚିକିତ୍ସା ନିମନ୍ତେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ହେଲପର୍ ଜଣକ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଯଥାଶୀଘ୍ର ଏହି ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.