ଭଞ୍ଜନଗର, ୨୮/୦୯(ପିପିଟି):ଭଞ୍ଜନଗର ଥାନାରେ ଆଜି ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ପୋଲିସ ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।ରିପୋର୍ଟ ଆଧାରରେ ସେହି ମୋବାଇଲକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ହଜି ଯାଇଥିବା ଫୋନ୍ଗୁଡିକ କିଭଳି ଉଦ୍ଧାର ହୋଇଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ଥାନା ଅଞ୍ଚଳରେ ବିଗତ କିଛି ଦିନ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୋବାଇଲ ବିଭିନ୍ନ ସ୍ଥାନରେ ହଜି ଯାଇଥିଲା। ଏନେଇ ପୋଲିସ ମିସିଙ୍ଗ୍ ମାମଲା ରୁଜୁ କରି
ମୋବାଇଲଗୁଡିକୁ ଖୋଜିବା ପାଇଁ ୩ଟି ଟିମ୍ ଗଠନ କରି ସେସବୁ ଉଦ୍ଧାର କରିଥିଲା। ଆଜି ୨୬ଜଣଙ୍କୁ ମୋବାଇଲ ପ୍ରଦାନ କରାଯାଇଥିବା ବେଳେ ୪ଜଣ ମାଲିକ ଅନୁପସ୍ଥିତ ଥିଲେ।ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ନିଜର ମୋବାଇଲ ଥାନାରୁ ସଂଗ୍ରହ କରିପାରିବେ ବୋଲି ଜଣାପଡ଼ିଛି।ହଜି ଯାଇଥିବା ମୋବାଇଲ ଫେରିପାଇବା ଯୋଗୁଁ ମାଲିକମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା ।
ରିପୋର୍ଟ୍ -ଜେ.କେ ପଟ୍ଟନାୟକ