କୋଦଳା,୨୨/୦୪(ପିପିଟି):ଆଗରୁ ବୈଠକ ନକରି ଖବର ପ୍ରକାଶନ ପରେ ହାତଗଣତି ଅଣ ଆଖୁଚାଷୀଙ୍କୁ ନେଇ ତରବରିଆ ଭାବେ କୃଷି ବିଭାଗ ନିଜ ଦୋଷକୁ ଲୁଚାଇବା ପାଇଁ କରିଥିବା ପ୍ରୟାସକୁ ଆଜି ପ୍ରକୃତ ଆଖୁ ଚାଷୀ ପହଞ୍ଚି କୃଷି ଅଧିକାରୀ ରାମଲାଲ ସମଦଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ଉତ୍ତେଜନା ସୃଷ୍ଟି ହୋଇଛି ଓ ଏହା ପରେ ବିଡ଼ିଓ ସସ୍ମିତା ଶତପଥୀଙ୍କୁ ଚାଷୀ ଫେରାଦ ଦେଇ ଏହାର ତଦନ୍ତ କରିବା ସହ ଚାଷୀଙ୍କୁ ଆଜିଯାଏ ଦୀର୍ଘ ୧ ବର୍ଷ ହେଲା କାହିଁକି ୧୬ ଲକ୍ଷରୁ ଅଧିକ ଟଙ୍କା ମିକିନି ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକ ମଧ୍ୟରୁ ୧୬ ଟି ବ୍ଲକରେ ଆଖୁଚାଷ ହେଉଥିବା ବେଳେ ବେଗୁନିଆପଡା ବ୍ଲକ ଆଖୁଚାଷ ପାଇଁ ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି କିନ୍ତୁ ବେଗୁନିଆପଡା କୃଷି ବିଭାଗର ଆଖୁ ଚାଷୀଙ୍କ ପ୍ରତି ଅବହେଳା ହେଉଥିବା ଯୋଗୁଁ ଏହି ଆଖୁଚାଷୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏହି ଚାଷୀ ମାନେ ଦୀର୍ଘ ୧ ବର୍ଷ ଧରି ୧୬ ଲକ୍ଷ ୯ ହଜାର ଟଙ୍କାର ପ୍ରୋତ୍ସାହନ ଅର୍ଥ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ନୂତନ ଆଖୁ ନିର୍ଦ୍ଧାରିତ ଜ୍ଞାନ କୌଶଳ ମାଧ୍ୟମରେ ଏହି ବ୍ଲକର ୩୯ ଜଣ ଚାଷୀ ଆଖୁ ଚାଷ କରିଥିବା ବେଳେ ଏକର ପିଛା ୯୦୦୦ ଟଙ୍କା ହିସାବରେ ୫୪ ଏକର ରେ ଆଖୁ ଚାଷ କରିଥିବା ବେଳେ ଏହା ବାବଦକୁ ୪ ଲକ୍ଷ ୮୬ ହଜାର ଟଙ୍କା ପ୍ରାପ୍ୟ ପାଇ ନଥିବା ବେଳେ ଜାନୁଆରୀ ମାସ ଠାରୁ ଅପ୍ରେଲ ମାସ ମଧ୍ୟରେ ଆଖୁ ଚାଷର ଇନପୁଟ ସବସିଡି ୧୦୮ ଜଣ ଚାଷୀ ଏକର ପିଛା ୧୯୦୦ ଟଙ୍କା ହିସାବରେ ୧୩୫ ଏକରକୁ ୨ ଲକ୍ଷ ୫୬ ହଜାର ୫୦୦ ଟଙ୍କା ପାଇବା କଥା କିନ୍ତୁ ତାହା ଆଜିପର୍ଯ୍ୟନ୍ତ ମିଳିନାହିଁ। ପୁଣି ମୂଳିଆଖୁ ଚାଷର ଇନପୁଟ ସବସିଡି ଭାବରେ ୧୪୨ ଜଣ ଚାଷୀ ଏକର ପ୍ରତି ୨୫୦୦ ଟଙ୍କା ହିସାବରେ ୩୪୭ ଏକରକୁ ମୋଟ ୮ ଲକ୍ଷ ୬୭ ହଜାର ଟଙ୍କା ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି। ଏଣୁ ମୋଟ ୨୮୮ ଜଣ ଚାଷୀ ଆଜି ପର୍ଯ୍ୟନ୍ତ ୧୬ ଲକ୍ଷ ୯ ହଜାର ୫୦୦ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖାଲି ସେତିକି ନୁହେଁ ଆଖୁଚାଷୀଙ୍କୁ ଏହି ଚାଷ ଉପରେ ପ୍ରୋତ୍ସାହନ ଓ ତାଲିମ ଦେବା ପାଇଁ ଚଳିତ ବର୍ଷ ଅପ୍ରେଲ ୨ ତାରିଖ,୫ ତାରିଖ,୮ ତାରିଖ,୯ ତାରିଖ ଓ ୧୧ ତାରିଖରେ ପର୍ଯ୍ୟାୟ ଭିତ୍ତିକ ବୈଠକ କରାଯିବା ପାଇଁ ନିର୍ଦେଶନାମା ଥିବା ବେଳେ ଏହି ତାରିଖ ସବୁ ବିତିଗଲାଣି ସିନା କୌଣସି ବୈଠକ ହୋଇନାହିଁ କି କୌଣସି ଆଖୁଚାଷୀଙ୍କୁ ସୂଚନା ଦିଆଯାଇନାହିଁ। ଆଖୁଚାଷୀ ବାରମ୍ବାର ବ୍ଲକ କୃଷି ବିଭାଗକୁ ଦୌଡ଼ି ଥିବା ବେଳେ ଏମାନଙ୍କୁ ଅଣଦେଖା କରାଯାଉଛି ବୋଲି ଚାଷୀ ମାନେ ଗୁରୁତର ଅଭିଯୋଗ କରିଛନ୍ତି। ଆଖୁଚାଷୀଙ୍କୁ ସବସିଡି ଅର୍ଥ ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲାର ୧୬ ଟି ବ୍ଲକକୁ ୨ କୋଟି ୫୬ ଲକ୍ଷ ୧୨ ହଜାର ଟଙ୍କା ଆସିଥିବା ସୂଚନା ଥିବା ବେଳେ ବେଗୁନିଆପଡା ବ୍ଲକ ଚାଷୀ କାହିଁକି ଏହି ଅର୍ଥ ଆଜି ପର୍ଯ୍ୟନ୍ତ ପାଇ ନାହାଁନ୍ତି ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇଛି। ବେଗୁନିଆପଡା ବ୍ଲକର ସୁମଣ୍ଡଳ, ତାଳସର,ହଂସତୁଳି,ସାଙ୍କୁଡ଼ାକୁମ୍ଭାର ଗାଁ, କାଳିମେଘି, ସୌରାପଲ୍ଲୀ, କନିଆରୀ ବାଡ଼ି,ନୂଆଗାଁ,ଭାଲିଆ ଝର ଆଦି ଗ୍ରାମ ସମେତ ଅଧିକାଂଶ ଗ୍ରାମ ର ଶହ ଶହ ଚାଷୀ ଆଖୁ ଚାଷ କରୁଥିବା ବେଳେ କୃଷି ବିଭାଗର ଏ ପ୍ରକାର ଅଣଦେଖା ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ୨୦୧୭ ମସିହା ଅପ୍ରେଲ ୧୦ ତାରିଖରେ ୨୦୧୩ ମସିହା ଫାଇଲିନରେ କ୍ଷତିଗ୍ରସ୍ତ ଅର୍ଥ ମିଳିବା ଦାବିରେ ଶତାଧିକ ଆଖୁଚାଷୀ ବେଗୁନିଆପଡା ବ୍ଲକରେ ୨ ଦିନ ଧରି ଅହୋରାତ୍ର ଧାରଣା ଦେଇ ତୀବ୍ର ଆନ୍ଦୋଳନ ହୋଇଥିଲା। ଏହା ଏବେ ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ଦେଖା ଦେଇଛି । ଯଦି ତୁରନ୍ତ ଏହି ଅର୍ଥ ନ ମିଳେ କିମ୍ବା ସଠିକ ପ୍ରୋତ୍ସାହନ ଚାଷୀଙ୍କୁ ନ ମିଳେ ତେବେ ଚାଷୀ ଆନ୍ଦୋଳନ ତୀବ୍ର କରିବେ ବୋଲି ଆଖୁ ଚାଷୀ ବଳରାମ ସ୍ୱାଇଁ,କିଶୋର ମେହେଣା,ନିରାକାର ଜେନା,ସଞ୍ଜୟ ଖଟୁଆ, ଶରତ ଜେନା,ରମେଶ ଦୋରାଙ୍କ ସମେତ ବହୁ ଚାଷୀ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ବ୍ଲକ କୃଷି ଅଧିକାରୀ ରାମ ଲାଲ ସାମଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଖବର ପ୍ରକାଶ ପାଇବା ପରେ କିଛି କୃଷକଙ୍କ ବକେୟା ରହିଯାଇଥିବା ଜାଣିବାକୁ ପାଇଲି । ଆଜି ମଙ୍ଗଳବାର ନିଜ କାର୍ଯ୍ୟାଳୟ ମଧ୍ୟରେ ନାମିତ ଆଖୁଚାଷୀଙ୍କୁ ନେଇ ଏକ ତାଲିମ ଶିବିର କରିବା ସହିତ ବକେୟା ଥିବା ପ୍ରାପ୍ୟ ଉପରେ ଆଲୋଚନା କରାଯାଇଥିଲା ଏବଂ ଆକାଉଟେଣ୍ଟରେ ଯଦି କିଛି ଭୁଲ ଥାଏ ସେଗୁଡିକୁ ସମାଧାନ କରାଯାଇ ଯଥାଶୀଘ୍ର ପର୍ଯ୍ୟାୟ କ୍ରମେ କୃଷକଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)