ଛତ୍ରପୁର,୦୭/୦୩(ପିପିଟି): ଚଳିତ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବହୁ ପ୍ରତିକ୍ଷିତ ଚୈତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଚୈତ୍ର ପର୍ବ ସରସ ଓ ସୁନ୍ଦର ଭାବରେ ପାଳନ ନେଇ ଚୂଡାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ ମାସର ୪ ଟି ମଙ୍ଗଳବାର ଯଥା ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ଅନୁଷ୍ଠିତ ହେବ ।
ବୈଠକରେ ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ଓ ପାନୀୟ ଜଳର ସଠିକ ବିନିଯୋଗ,ମନ୍ଦିରର ସାଜସଜ୍ଜା ଓ ଆଲୋକୀକରଣ ତାସହ ଦେଶର ଆଦିଶକ୍ତି ପୀଠ ଓ ସମସ୍ତ ଶକ୍ତି ପୀଠର କୁଞ୍ଜ ତୋରଣ ନିର୍ମାଣ,ଦୁଇଟି ସ୍ଥାନରେ ଯଥା ଦିଗନ୍ତ ଓ ସହଦେବ ଛକରେ ଅନ୍ନ ପ୍ରସାଦ ବ୍ୟବସ୍ଥା,ମୁଣ୍ଡନ ସ୍ଥାନରେ ଆଲୋକୀକରଣ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ଦୈନିକ ପୂଜାବିଧି ଓ ପ୍ରତି ପାଳିର ଯଜ୍ଞ ପାଇଁ ଗୋଟିଏ ସ୍ଥାନରେ ସୁବନ୍ଦୋବସ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି,ଟ୍ରାଫିକ ନିୟନ୍ତ୍ରଣ, ଯାନବାହାନ ରକ୍ଷଣ ସ୍ଥଳ, ପର୍ଯ୍ୟାପ୍ତ ଭ୍ରାମ୍ୟମାଣ ଶୌଚାଳୟ, ଅଗ୍ନିଶମ ନିର୍ବାପକ,ପ୍ରାଥମିକ ଚିକିତ୍ସା ସମେତ ଅଂଶୁଘାତ ଚିକିତ୍ସା ପାଇଁ ଦୁଇଟି ଶୀତତାପ ନିୟନ୍ତ୍ରିତ ରୁମ ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ବ୍ୟବସ୍ଥା, ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି, ଆକର୍ଷଣୀୟ ଭଜନ ସମାରୋହ, ଗମନାଗମନ,ମାଦକ ଦ୍ରବ୍ୟ ବିକ୍ରୟ ଉପରେ କଟକଣା ଆଦି ସମସ୍ତ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ଏବଂ ପୂର୍ବ ବର୍ଷ ଦେଖାଯାଇଥିବା ସମସ୍ୟାକୁ ଆଖି ଆଗରେ ରଖି ଆନ୍ତରିକତାର ସହ ଏ ବର୍ଷ ସମସ୍ତ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।
ସର୍ବ ସହମତି କ୍ରମେ ଚୈତ୍ର ପର୍ବ ସମୟରେ ମନ୍ଦିର ଉପରକୁ ଯିବାପାଇଁ ବସ ଭଡା ୩୦ ଟଙ୍କା ଓ ରୋପୱେ ମୂଲ୍ୟ ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପର୍ବ ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଓ ବାସ୍ନା ଯୁକ୍ତ ଜଳ ଛିଞ୍ଚନ କରିବା ପାଇଁ ମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷ ମାଙ୍କ ପୂଜାର୍ଚ୍ଛନା ପାଇଁ କେବଳ ଭଲ ଘିଅ ବ୍ୟବହାର କରାଯିବ। ଡୁପ୍ଲିକେଟ ଘିଅ ବିକ୍ରି ନ କରିବାକୁ ଓ ପୂଜାର୍ଚ୍ଚନା ସମୟରେ ବ୍ୟବହାର ନ କରିବାକୁ ଉଭୟ କ୍ରେତା ଓ ବିକ୍ରେତା ମାନଙ୍କୁ ଅନୁରୋଧ କରାଯାଇଛି । ମା ତାରାତାରିଣୀଙ୍କ ୱେବସାଇଟକୁ ଅଧିକ ସାବଲୀଳ ଓ କ୍ରିୟାଶୀଳ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଇ ହୁଣ୍ଡୀର ଲୋକାର୍ପଣ କରାଯାଇଥିଲା। ଭକ୍ତମାନେ ଅନଲାଇନ ମାଧ୍ୟମରେ ଦାନ କରିପାରିବେ।
ବୈଠକରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜ଼ିଲ୍ଲାପାଳ ଭି କୀର୍ତ୍ତି ୱାସନ,ଅତିରିକ୍ତ ଜ଼ିଲ୍ଲାପାଳ ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ବିଡ଼ିଓ ପୁରୁଷୋତ୍ତମପୁର ଶରତ କୁମାର ପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ସେବାୟତ ବାପୁଜୀ ରଣା ସମେତ ବିଭାଗୀୟ ଅଧିକାରୀ, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।