୧ମ ଜାତୀୟ ଲୋକ ଅଦାଲତରେ ୨୪୬ ମାମଲା ନିଷ୍ପତ୍ତି, ୩୪.୭୫ ଲକ୍ଷ ଟଙ୍କା ସମ୍ମତି ।

0 35

ଭଞ୍ଜନଗର, ୧୪/୦୩(ପିପିଟି):ଆଜି ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ୍ ସେବା କମିଟି, ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ଅଧ୍ୟକ୍ଷତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସିନିୟର ସିଭିଲ୍ ଜଜ୍ ଦେବାଶିଷ ବିଶୋଇ, ଏସ୍‌ଡିଜେଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ଓ ଜେଏମଏଫସି ଭିୟେନା ନାୟକ ଉପସ୍ଥିତ ରହି ବିଭିନ୍ନ ବେଞ୍ଚ ମାଧ୍ୟମରେ ମାମଲାଗୁଡିକର ସମାଧାନ କରିଥିଲେ।
ଲୋକ ଅଦାଲତରେ ମୋଟ ୩୬୭ଟି ମାମଲା ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୨୪୬ଟି ମାମଲାର ସମାଧାନ ହୋଇଥିଲା। ଏହି ସମସ୍ତ ମାମଲାରେ ମୋଟ ୩୪,୭୫,୯୬୫ ଟଙ୍କାର ସମ୍ମତି ରାଶି ନିର୍ଦ୍ଧାରଣ ହୋଇଥିଲା। ମାମଲା ଭିତ୍ତିକ ତଥ୍ୟ ଅନୁସାରେ ଏନ୍‌ଆଇ ଆକ୍ଟ (ଧାରା ୧୩୮) ସମ୍ବନ୍ଧୀୟ ୨ଟି ମାମଲାର ସମାଧାନ ହୋଇ ୧୨,୦୭,୬୯୮ ଟଙ୍କା ଆଦାୟ ହୋଇଥିଲା। ମନି ରିକଭରି ମାମଲାରେ ୪ଟି ମାମଲା ସମାଧାନ ହୋଇ ୫,୬୮,୨୬୭ ଟଙ୍କା ଆଦାୟ ହୋଇଥିଲା।ମୋଟର ଦୁର୍ଘଟଣା କ୍ଲେମ୍ ମାମଲାରେ ୨ଟି ମାମଲାର ସମାଧାନ ହୋଇ ୧୨,୦୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।
ମ୍ୟାଟ୍ରିମୋନିଆଲ୍ (ପରିବାରିକ) ବିବାଦ ସମ୍ବନ୍ଧୀୟ ୧ଟି ମାମଲା ସମାଧାନ ହୋଇଥିଲା।ଅନ୍ୟାନ୍ୟ ସିଭିଲ୍ ମାମଲା ୭ଟିର ସମାଧାନ ହୋଇ ୫,୦୦,୦୦୦ ଟଙ୍କା ସମ୍ମତି ହୋଇଥିଲା।
ଅନ୍ୟାନ୍ୟ ଆପରାଧିକ ମାମଲା ୨୩୦ଟି ମଧ୍ୟ ସମାଧାନ ହୋଇଥିଲା।ଏହି ଲୋକ ଅଦାଲତକୁ ସଫଳ କରିବାରେ ଭଞ୍ଜନଗର ବାର ଏସୋସିଏସନ୍‌ର ସଭାପତି ଲକ୍ଷ୍ମୀ କାନ୍ତ ମହାପାତ୍ର, ସଚିବ ଜ୍ୟୋତିରାଜ ପତି, ଉପଖଣ୍ଡ ସ୍ତରୀୟ ଲୋକ ସମ୍ପର୍କ ସୂଚନା ଅଧିକାରୀ ସନ୍ତୋଷ ନାୟକ ସହିତ ଅନେକ ଆଇନଜୀବି ଓ କର୍ମଚାରୀମାନେ ସହଯୋଗ କରିଥିଲେ।
ଲୋକ ଅଦାଲତ ବେଞ୍ଚ ସଦସ୍ୟ ଭାବେ ଆଇନଜୀବି ରମେଶ ଚନ୍ଦ୍ର ପଣ୍ଡା ଓ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ମାମଲାଗୁଡିକର ସମାଧାନ କରିଥିଲେ। ଏଥିରେ ଆଇନ୍ ସେବା କମିଟି ସଦସ୍ୟ ଅଳକା ମଞ୍ଜରୀ ପଟ୍ଟନାୟକ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇନଜୀବିମାନେ ସନ୍ତୋଷ ତିଆଡି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବଂଶୀଧର ପ୍ରଧାନ, ରବୀନ୍ଦ୍ରନାଥ ଦାସ, ରଜନୀ ପଟ୍ଟନାୟକ ଓ ସମୀର ନାୟକ ଆଦି ସକ୍ରିୟ ଭାବରେ ଯୋଗଦେଇ ଲୋକ ଅଦାଲତକୁ ସଫଳ କରିଥିଲେ।
କୋର୍ଟ କର୍ମଚାରୀ ଅଙ୍କନ ପ୍ରଧାନ, ସୁନୀଲl ମୁଦୁଲି, ପବିତ୍ର ପ୍ରଧାନ ପରିଚାଳନା କରିଥିଲେ ।
ଲୋକ ଅଦାଲତ ମାଧ୍ୟମରେ ଶୀଘ୍ର ଓ ସହଜ ଭାବରେ ମାମଲାର ସମାଧାନ ହେବାରୁ ଲୋକମାନେ ନ୍ୟାୟ ପ୍ରାପ୍ତିରେ ବହୁତ ଉପକୃତ ହେଉଥିବା ଆୟୋଜକମାନେ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.