ଟିଟିଲାଗଡ,୨୫/୦୮: ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ବର୍ତ୍ତମାନ ଖରିଫ ଋତୁରେ ୟୁରିଆ ସାର ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡିକରୁ ଉଭାନ ହୋଇଯାଇଛି । ଗ୍ରାମାଞ୍ଚଳରେ କଳାବଜାରରେ ୨୬୫ ଟଙ୍କାର ୟୁରିଆ ବସ୍ତା ୧୦୦୦ ଟଙ୍କାରେ ଚୋରାରେ ବିକ୍ରୟ ହୋଇଛି । ତେବେ ଟିଟିଲାଗଡ଼ ହିନ୍ଦୁସ୍ତାନ ସିଡ଼ସ ସାର ଦୋକାନକୁ ସାର ଟ୍ରକ ଆସିଥିବା ଖବର ପାଇ ଆଜି ଭୋର ୩ଟାରୁ ପ୍ରାୟ ୩ ହଜାର ଚାଷୀଙ୍କ ଭିଡ଼ ଟ୍ରାଫିକ ଜାମ କରିଥିଲା । ଦୋକାନୀ ମାତ୍ର ୪୦୦ ବସ୍ତା ସାର ତାଙ୍କ ପାଖରେ ମହଜୁଦ ଥିବା କହିଛି । ତେବେ ସାର ବସ୍ତାଟିଏ ପାଇବା ପାଇଁ ଧାଁଦୌଡ ଠେଲାପେଲାରେ ଅନେକ ଲୋକ ତଳେ ପଡି ଆହତ ହୋଇଛନ୍ତି । ମହିଳାଙ୍କ ଚୁଡ଼ି ଭାଙ୍ଗିଛି, ଧାଁ ଦୌଡରେ ଅନେକଙ୍କ ଚପଲ ଛିଣ୍ଡି ପଡିଛି । ସ୍ଥାନୀୟ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କୃଷି ଅଧିକାରି ଚାଷୀଙ୍କ ସହାୟତା ପାଇଁ ପହଞ୍ଚି ନଥିବା ଚାଷୀଙ୍କ ମଧ୍ୟରେ ଆକ୍ରୋଶ ତୀବ୍ର କରିଛି ।